ଆଜି ଭାରତ-ଜିମ୍ବାଓ୍ୱେ ଦ୍ୱିତୀୟ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ
ହରାରେ : ଆଜି ଭାରତ ଓ ଜିମ୍ବାଓ୍ୱେ ଦ୍ୱିତୀୟ ଦିନିକିଆ। ହରାରେରେ ଆୟୋଜିତ ମୁକାବିଲାରେ ଭାରତ ବିଜୟ ଲାଭ କରି ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । କାରଣ ଦଳ ପ୍ରଥମ ମୁକାବିଲାକୁ ୧୦ ଓ୍ୱିକେଟରେ ଜିତିବା ପରେ ଆତ୍ମବିଶ୍ୱାସ ଭରପୁର ରହିଛି । ଏବେ କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସଫଳତା ଦୋହରାଇବାକୁ ପ୍ରୟାସ କରିବ ।
ଦ୍ୱିତୀୟ ଦିନିକିଆରେ ଯଦି ଭାରତ ଟସ୍ ଜିତେ ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ । ହରାରେ ପିଚରେ ପ୍ରଥମେ ବଲ୍ ବାଉନ୍ସ ରହିବ କିନ୍ତୁ ପରେ ଏହା ବ୍ୟାଟରଙ୍କୁ ସୁହାଇବ । ଫଳରେ ବଡ ସ୍କୋର ହୋଇପାରେ । ଜିମ୍ବାଓ୍ୱେ ଟିମରେ ଭଲ ବୋଲର ନଥିଲେ ବି ମ୍ୟାଚର ପ୍ରଥମାର୍ଦ୍ଧରେ ସେମାନେ ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇପାରନ୍ତି । ଭାରତୀୟ ବୋଲର ଦୀପକ ଚହର ପ୍ରଥମ ମ୍ୟାଚ୍ ପରେ କହିଥିଲେ ଯେ, ମ୍ୟାଚର ଦ୍ୱିତୀୟ ଇନିଂସରେ ବୋଲରଙ୍କୁ ଫାଇଦା ମିଳେନାହିଁ । ମ୍ୟାଚରେ ଓପନିଂ ଯୋଡିରେ ଆସିଥିବା ଶିଖର ଧାଓ୍ୱନ ଓ ଶୁଭମନ ଗିଲ୍ ଦମଦାର ବ୍ୟାଟିଂ କରି ଅପରାଜେୟ ରହିଥିଲେ । ଦଳକୁ ୧୦ ଓ୍ୱିକେଟରେ ବିଜୟ ପ୍ରଦାନ କରିଥିଲେ ।
ପ୍ରଥମ ମ୍ୟାଚ୍ ପରେ ଦୀପକ ଚହର କହିଥିଲେ ଯେ ଦ୍ୱିତୀୟ ସେସନରେ ବୋଲରମାନେ ଅଧିକ ସାହାଯ୍ୟ ପାଇପାରିନଥିଲେ କିନ୍ତୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ପ୍ରଥମ ଘଣ୍ଟାର ଖେଳ ସହଜ ନଥିଲା । ଏସିଆ କପରେ ଶାହିନ୍ ଶାହା ଆଫ୍ରିଦିଙ୍କ ଭଳି ବୋଲରଙ୍କ ସାମ୍ନା କରିବା ପୂର୍ବରୁ ଭାରତୀୟ ଦଳ ପାଇଁ ବ୍ୟାଟିଂ ଅଭ୍ୟାସ ଜରୁରୀ । ପ୍ରଥମ ମ୍ୟାଚରେ ଶିଖର ଧାୱନ ଏବଂ ଶୁଭମାନ ଗିଲଙ୍କ ସହ ଇନିଂସ ଓପନ କରିବା ନିଷ୍ପତ୍ତି ନେଇ କ୍ୟାପଟେନ ରାହୁଲ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିଥିଲେ । କିନ୍ତୁ ବର୍ତ୍ତମାନ ବ୍ୟାଟ୍ସମ୍ୟାନ୍ ରାହୁଲଙ୍କୁ ମଧ୍ୟ ଏସିଆ କପ୍ ପୂର୍ବରୁ ଲୟକୁ ଫେରିବାକୁ ପଡିବ। ତାଙ୍କୁ ପ୍ରଥମ ବଲରୁ ତୁରନ୍ତ ଭାରତର ଆକ୍ରମଣ ରଣନୀତିକୁ ଆପଣାଇବାକୁ ପଡିବ । ଜିମ୍ବାୱେ ପରି ଏକ ଦୁର୍ବଳ ଦଳ ବିପକ୍ଷରେ ରାହୁଲଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଅନ୍ୟପକ୍ଷରେ ଯଦି ଦୀପକ ହୁଡାଙ୍କୁ ବ୍ୟାଟିଂ କ୍ରମରେ ଅଣାଯାଏ, ତା’ହେଲେ ତାଙ୍କର ଆତ୍ମବିଶ୍ୱାସ ବଢିବ। ଯଦି ସଞ୍ଜୁ ସାମସନ ଚତୁର୍ଥ ନମ୍ବରକୁ ଆସନ୍ତି, ତେବେ ସେ ଇନିଂସର ସୂତ୍ରଧର ଭୂମିକା ନିଭାଇ ପାରନ୍ତି । କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ ପ୍ରଥମେ ସିରିଜ୍ ଜିତିବାକୁ ଏବଂ ପରେ ଟିମ୍ କମ୍ବିନେସନ ସହିତ ପରୀକ୍ଷା କରିବେ । ଯଦି ଧାୱନଙ୍କ ପଠାରେ ଲାଗିଥିବା ଆଘାତ ଗୁରୁତର ହୋଇଯାଏ, ତେବେ ଇଶାନ କିଶନ ଏବଂ ରାହୁଲଙ୍କ ବାମ-ଡାହାଣ କମ୍ବିନେସନ ସହ ଇନିଂସ ଓପନ କରିବା ଭଲ ହେବ।
ସୂଚନା ଯେ, ପ୍ରଥମ ଦିନିକିଆରେ ବୋଲର ଦୀପକ ଚହର ଲଗାତର ୭ ଓଭର ବୋଲିଂ କରିଥିଲେ । ଯାହା ଦଳ ପାଇଁ ଭଲ ସଙ୍କେତ । ସେହିପରି ପ୍ରସିଦ୍ଧ କୃଷ୍ଣା ଓ ଅକ୍ଷର ପଟେଲ ମଧ୍ୟ ଦମଦାର ଫର୍ମ ପ୍ରଦର୍ଶନ କରିଥିଲେ । ତାଙ୍କ ବ୍ୟତୀତ ଚାଇନା ମ୍ୟାନ୍ କୁଲଦୀପ ଯାଦବ ଓ ମହମ୍ମଦ ସିଜା ମଧ୍ୟ ଜିମ୍ବାଓ୍ୱେ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ ।