ବାଲେଶ୍ୱରରେ ଡେଙ୍ଗୁ ନିରାକରଣ ପାଇଁ ଜିଲାସ୍ତରୀୟ ସମନ୍ୱୟ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲାସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳନ ତଥା ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା ପାଇଁ ଅନ୍ତଃବିଭାଗ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଡେଙ୍ଗୁପ୍ରବଣ ଅଞ୍ଚଳଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା, ଶିଳ୍ପସଂସ୍ଥାଗୁଡ଼ିକରେ ମଶାବଂଶ ନିୟନ୍ତ୍ରଣ, ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଡେଙ୍ଗୁ ପୋଷ୍ଟର ପ୍ରଦର୍ଶନ, ସହରାଞ୍ଚଳରେ ପୌରପାଳିକା ଦ୍ୱାରା କୀଟନାଶକ ସିଞ୍ଚନ, ସମସ୍ତ ଚିକିତ୍ସାଳୟରୁ ନମୁନା ସଂଗ୍ରହ ଓ ପରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଅତିରିକ୍ତ ଜନସ୍ୱାସ୍ଥ୍ୟ ସଞ୍ଚାରଣ ଅଧିକାରୀ ରମଣୀକାନ୍ତ ଭଞ୍ଜ ଏବଂ ଜନସ୍ୱାସ୍ଥ୍ୟ ସଞ୍ଚାରଣ ଅଧିକାରୀ ଶ୍ରୀକାନ୍ତ ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଡେଙ୍ଗୁ ନିରାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ପୌରାଞ୍ଚଳରେ ଠିକ୍ ସମୟରେ ମଶା ତେଲ ପକାଇବା, ଡ୍ରେନ ସଫା କରିବା ଓ ଆବଶ୍ୟକତା ଅନୁଯାୟୀ ଧୂଆଁ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସ୍ୱଚ୍ଛ ଭାରତ ଅଭିଯାନ ଅଳିଆବୁହା ଗାଡିରେ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା ଗୀତ ବଜାଇବାକୁ ମଧ୍ୟ ସ୍ଥିରୀକୃତ ହୋଇଥିଲା । ଜିଲାର ପ୍ରତ୍ୟେକ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଓ ଗ୍ରାମମାନଙ୍କରେ ପ୍ରତି ସପ୍ତାହରେ ଗୋଟିଏ ଦିନ ଡେଙ୍ଗୁ ମଶାର ଜନ୍ମସ୍ଥାନକୁ ନଷ୍ଟ କରିବା ନିମିତ ଶୁଖିଲା ଦିନ(ଡ୍ରାଏ ଡେ) ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲା ବାହକ ବାହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପତି ପ୍ରୋଜେକ୍ଟର ମାଧ୍ୟମରେ ଜିଲାରେ ଡେଙ୍ଗୁର ସ୍ଥିତି, ନିରାକରଣ କାର୍ଯ୍ୟକ୍ରମ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଚଳିତବର୍ଷ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୩୬୭ ନମୁନା ପରୀକ୍ଷଣ କରାଯାଇ ୮ଜଣ ଡେଙ୍ଗୁରୋଗୀଙ୍କୁ ଚିହ୍ନଟ କରାଯାଇଛି । ବୈଠକରେ ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନୀଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।