ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ପୁରୀ : ଅଣସର ଘରେ ୧୪ ଦିନ ଅବସ୍ଥାନ କରିବା ପରେ ମହାପ୍ରଭୁ ବୁଧବାର ଦିନ ରତ୍ନ ସିଂହାସନ ଉପରେ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ସ୍ନାନପୂର୍ଣ୍ଣମୀରେ ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତି ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ବିରାଜମାନ କରିଥିଲେ । ଅଣସର ତାଟି ବାହାରେ ପଟିଦିଁଅ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ବୈଦ୍ୟ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ(ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ୱର ଲାଘବ ହୋଇଥିଲା । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବାରେ ନିୟୋଜିତ ହୋଇଥିଲେ । ଦଶ ଅବତାର ପଟିଦିଅଁ ବାହୁଡ଼ା ବିଜେ କରିବା ପରେ କୋଠ ସୁଆଁସିଆମାନେ ଅଣସର ଘର ତାଟି ଖୋଲିବେ । ଠାକୁରମାନେ ଚକାବିଜେ କରିଥିବା ସମ୍ମୁଖ ସ୍ଥାନ ପାଣିରେ ଭଲ ଭାବେ ଧୁଆଯିବ ।
ନବଯୌବନ ଦର୍ଶନ ପାଇଁ ପରିମାଣିକ ଟିକେଟ କରିଥିବା ଦର୍ଶନାର୍ଥୀମାନେ ଜଗମୋହନ ଭିତରକୁ ଯାଇ ଦର୍ଶନ କରିବେ । ପରେ ସାହାଣମେଲା ହେବାର କାର୍ଯ୍ୟକ୍ରମ ରହିଛି । ଆଜି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ । ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଂଟ ଅନୁଯାୟୀ ସକାଳ ୬ଟାରେ ଚକା ଅପସର, ୬ଟା ୧୦ରେ ମଙ୍ଗଳଆଳତି, ପରେ ମଇଲମ, ଅବକାଶ ପରେ ଦଶଅବତାର ଠାକୁର ବାହୁଡ଼ା ବିଜେ ସକାଳ ସାଢ଼େ ୭ଟାରେ ଅନୁଷ୍ଠିତ ହେବ । ପରେ ତାଟି ଫିଟିବ । ସକାଳ ୮ଟାରୁ ୯ଟା ମଧ୍ୟରେ ଭିତର କାଠ ପାଖରେ ପରିମାଣିକ ଦର୍ଶନ ୯ଟାରୁ ସାଢ଼େ ୧୦ ମଧ୍ୟରେ ଭିତର କାଠ ପାଖରେ ସର୍ବସାଧରଣ ଦର୍ଶନ ଅନୁଷ୍ଠିତ ହେବ । ୧୧ଟାରେ ଧୂଆ ହୋଇ ଚୂନ ପଡ଼ିବ । ୧୧ଟା ୩୦ରେ ଦଇତାପତିମାନେ ସର୍ବାଙ୍ଗ ବନ୍ଦାପନା ଓ ୧୨ଟାରେ ନେତ୍ରୋତ୍ସବ ବନ୍ଦାପନା ଅନୁଷ୍ଠିତ ହେବ । ରାତି ଗୋଟେ ୩୦ରେ ଦଇତାପତି ସେବକ ଦତମହାପାତ୍ର ବନକଲାଗି ପାଇଁ ପ୍ରବେଶ କରିବେ । ୩୦ ତାରିଖ ଗୁରୁବାର ଦିନ ଉଭାଯାତ୍ରା ଓ ରଥପାଇଁ ଆଜ୍ଞାମାଳ ବିଜେ କରିବ । ଜୁଲାଇ ୧ ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ।