ଅନଲାଇନ୍ ଆପ ଜରିଆରେ ଠକେଇ ! ମୁଖ୍ୟ ଅଭିଯୁକ୍ତକୁ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତରେ ହାଜର କଲା ଇଓଡବ୍ଲ୍ୟୁ
ବାଲେଶ୍ୱର : ବାଲେଶ୍ୱର ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତରେ ଅନଲାଇନ୍ ଆପ୍ ଜରିଆରେ ଅର୍ଥ ଠକେଇ ଅଭିଯୋଗରେ ଡିଜିଟାଲ ରିଭୋଲେସନ୍ ଟେକ୍ନୋଲୋଜି ଲିମିଟେଡ଼ର ମୁଖ୍ୟ ପ୍ରିନ୍ସ କୁମାରଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାଜର କରିଛି । ପ୍ରିନ୍ସର ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଧିକ ତଦନ୍ତ ନିମେନ୍ତ ଇଓଡ଼ବ୍ଲ୍ୟୁ ପୁଣି ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି ।
ବିହାର ମୁଜାଫରପୁର ଜିଲାର ଅଭିଯୁକ୍ତ ପ୍ରିନ୍ସ କୁମାର ଅନଲାଇନ୍ ଜରିଆରେ ମୋବାଇଲ ଏପ୍ଲିକେସନ୍ ମାଧ୍ୟମରେ ଆଇଡ଼ି ଖୋଲି ୧୫ ହଜାର ଟଙ୍କା ଜମା କଲେ ଜମାକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଏପ୍ଲିକେସନ୍ ମାଧ୍ୟମରେ ମାସକୁ ୨୬୦୦ ଟଙ୍କା ଫେରିପାଇବା ଭଳି ଲୋଭ ଦେଖାଇଥିଲେ । ପ୍ରଥମେ କିଛି ଜମାକାରୀଙ୍କୁ ଟଙ୍କା ଫେରାଇ ବାରେ ସମର୍ଥ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଶହେରୁ ଊର୍ଦ୍ଧ୍ୱ ଜମାକାରୀଙ୍କ ଟଙ୍କାକୁ ଲୁଟ୍ କରିବାରେ ସମର୍ଥ ହୋଇଥିଲା । ଏହିଭଳି ଭାବେ ବାଲେଶ୍ୱର ଓ ମୟୂରଭଞ୍ଜରୁ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ବେଳେ ଓଡ଼ିଶାରୁ ପ୍ରାୟ ୫ରୁ ୬ କୋଟି ଟଙ୍କା ଠକିଥିବା ଆକଳନ କରାଯାଇଛି । ଟଙ୍କା ନ ଫେରାଇବାରୁ ଜଣେ ଜମାକାରୀ ପ୍ରଶାନ୍ତ କୁମାର ମହାଳିକ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିଥିଲେ । ସେହି ଆଧାରରେ ଇଓଡ଼ବ୍ଲ୍ୟୁର ଡିଏସ୍ପି ଦେବେନ୍ଦ୍ର ନାରାୟଣ ଦାସ ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିଥିଲେ । ଏନେଇ ଇଓଡ଼ବ୍ଲୁରେ ଏକ ମାମଲା (ନଂ.୫ ।୨୨) ରୁଜୁ ହୋଇଥିଲା । ଗତ ମଇ ୧୮ ତାରିଖରେ ବୃନ୍ଦାବନରୁ ପ୍ରିନ୍ସ କୁମାରଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ସୋମବାର ବାଲେଶ୍ୱର ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତରେ ହାଜର କରିଥିଲା ଇଓଡ଼ବ୍ଲ୍ୟୁ ।