ମୁଁ ଲହୁଣୀ ଉପରେ ନୁହେଁ, ପଥର ଉପରେ ଗାର ଟାଣେ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସଂପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ, ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଭାରତରେ ଜନତାଙ୍କ ନେତୃତ୍ୱାଧୀନ ସରକାର କାର୍ଯ୍ୟ କରୁଛି । ଶାସନର ଏହି ମଡେଲ୍ ଏବେ ଭାରତକୁ ବିକାଶ ଦିିଗରେ ଆଗେଇ ନେଇ ଚାଲିଛି । ଭାରତ ଏବେ ନିଜର ହଜିଯାଇଥିବା ବିଶ୍ୱାସକୁ ପୁନଃ ପ୍ରାପ୍ତ କରିବାରେ ଲାଗିଛି । ଭାରତ ନିଜର ଅତୀତ ପାଇଁ ଯେତିକି ଗର୍ବିତ ଅଛି ସେହିଭଳି ଭାବରେ ନିଜ ଭବିଷ୍ୟତକୁ ନେଇ ସମାନ ଭାବରେ ଆଶାବାଦୀ ମଧ୍ୟ ଅଛି । ମୁଁ ଲହୁଣୀ ଉପରେ ନୁହେଁ ପଥର ଉପରେ ଗାର ଟାଣେ । ଏହା ଖାଲି କଥାରେ ନୁହେଁ, କାମରେ ମଧ୍ୟ ମୁଁ କରି ଦେଖାଇଛି । ସେ ଆହୁରି କହିଛନ୍ତି ଯେ, ଭାରତୀୟ ସଂପ୍ରଦାୟ ଭାରତ-ଜାପାନ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ କରୁଛନ୍ତି । ସେମାନେ ଜାପାନରେ ଭାରତକୁ ନେଇଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଜାପାନର ଗଭୀର ପ୍ରଭାବ ପଡ଼ିଥିଲା । ଅନ୍ୟପକ୍ଷରେ ଆଜିର ବିଶ୍ୱ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶୀତ ମାର୍ଗର ଅନୁସରଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ମୋତେ ଲହୁଣୀ ଉପରେ ଗାର ଟାଣିବାକୁ ଭଲ ଲାଗେ ନାହିଁ । ମୋତେ ପଥର ଉପରେ ଗାର ଟାଣିବାକୁ ଭଲ ଲାଗିଥାଏ । ମୋତେ ଏମିତି ସଂସ୍କାର ମିଳିଛି ଯେ, ସର୍ବଦା ବଡ ଆହ୍ୱାନ ଏବଂ ଲକ୍ଷ୍ୟ ପାଇଁ କାମ କରି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ଏହି କଥା କହିଛନ୍ତି । ସେ କହିଛନ୍ତି ଆଜି ଭାରତ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ କରୁଛି ସେଠି ଆମେ ଆଗାମୀ ୨୫ ବର୍ଷର ଯୋଜନା ପ୍ରସ୍ତୁତୁ କରୁଛୁ । ଆମେ ବହୁତ ବଡ ସଂକଳ୍ପ ନେଇଛୁ ଯାହା କଠିନକର ରହିଛି । ମାତ୍ର ମୋତେ ଯେଉଁଭଳି ସଂସ୍କାର ମିଳିଛି ଏବଂ ଯେଉଁ ଲୋକେ ମୋତେ ଆଗକୁ ବଢାଇଛନ୍ତି ସେଥିରେ ମୁଁ କଠିନ ପରିସ୍ଥିତିର ସାମ୍ନା କରିବାରେ ମୁଁ ଅଭ୍ୟସ୍ତ ହୋଇ ପଡିଲିଣି । ମୋ ସହିତ ୧୩୦ କୋଟି ଦେଶବାସୀଙ୍କ ଆତ୍ମ ବିଶ୍ୱାସ, ସଂକଳ୍ପ ଏବଂ ସ୍ୱପ୍ନ ରହିଛି । ଏହାକୁ ପୂରା କରିବାର ବିରାଟ ସାମର୍ଥ୍ୟ ଆମ ପାଖରେ ରହିଛି । ଏହାର ପରିଣାମ ନିଶ୍ଚୟ ଆସିବ । ମୋଦୀ କହିଛନ୍ତି, ଗତ ଦୁଇ ବର୍ଷରେ ବିଶ୍ୱ ଯୋଗାଣ ଶୃଙ୍ଖଳା କ୍ଷତି ଘଟିଛି । ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଲାଣି । ଏହି ସଂକଟରୁ ବଂଚିବା ପାଇଁ ଏକ ମାତ୍ର ଉପାୟ ଆତ୍ମ ନିର୍ଭରୀଳ ରହିବା । ଏହି ସଂକଳ୍ପ ନେଇ ଆମେ ଆଗକୁ ବଢୁଛୁ । ଆମର ଏହି ନିବେଶ କେବଳ ଭାରତ ନୁହେଁ ବରଂ ଗ୍ଲୋବାଲ ଚେନ ପାଇଁ ଉଦ୍ଦିଷ୍ଟ । ଆଜି ପୂରା ଦୁନିଆ ଅନୁଭବ କରି ପାରୁଛି ଯେ, ଭାରତ ଯେଉଁ ଗତିରେ କାମ କରୁଛି ତାହା ଅଦ୍ଭୁତପୂର୍ବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଦୁନିଆ ଏହା ମଧ୍ୟ ଦେଖିଛି ଯେ, କେମିତି ଭିତିଭୂମି ନିର୍ମାଣରେ ଆମେ ଦ୍ରୁତ ଗତିରେ କାମ କରୁଛୁ । ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ସମେତ ଅନେକ ପ୍ରକଳ୍ପ ଭରତ ଏବଂ ଜାପାନ ସହଯୋଗର ଉଦାହରଣ । ଭାରତରେ ପରିବର୍ତନ କାରଣରୁ ଆମେ ଏକ ସଶକ୍ତ ଗଣତନ୍ତ୍ରର ପରିଚୟ ତିଆରି କରିଛୁ । ଆଜି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକେ ଜଡିତ ହେଉଛନ୍ତି, ବିଶେଷ କରି ସେହିମାନେ ଆମ ସହ ସାମିଲ୍ ହେଉଛନ୍ତି ଯେଉଁମାନେ ଅତୀତରେ କେବେ ନିଜକୁ ଗର୍ବିତ ଅନୁଭବ କରୁନଥିଲେ । ଭାରତରେ ନିର୍ବାଚନରେ ପୁରୁଷଙ୍କ ତୂଳନାରେ ମହିଳାମାନେ ଭୋଟ୍ କରୁଛନ୍ତି । ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ଭାରତରେ ଗଣତନ୍ତ୍ର ସାଧାରଣ ନାଗରିକଙ୍କ ହକ୍ ପ୍ରତି କେତେ ସଜାଗ ଏବଂ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।