ଦନ୍ତା ଆକ୍ରମଣରେ ଯୁବକ ମୃତ, ମିଳିଲା ଖଣ୍ଡ ବିଖଣ୍ଡିତ ଶରୀରର ବିଭିନ୍ନ ଅଙ୍ଗ
ନୀଳଗିରି : ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତର ଗ୍ରାମ ବାରାଗଡିଆର ୰ ନନ୍ଦ ସିଂଙ୍କ ପୁଅ ଶ୍ୟାମସୁନ୍ଦର ସିଂ (୨୫) ଶୁକ୍ରବାର ଅପରାହ୍ନରେ ଗ୍ରାମ ପାଖ ନକୁଳକୁଅଁର ହାଟକୁ ପରିବା, ସଉଦା ଆଦି କିଣିବାକୁ ଯାଇଥିଲେ। ସନ୍ଧ୍ୟା ୭ ଘଟିକା ସମୟରେ ସଉଦା କିଣି ସାରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ହାଟ ଓ ଗ୍ରାମକୁ ସଂଯୋଗ କରୁଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ରାସ୍ତା ମଝିରେ ହଠାତ୍ ଏକ କୁଲଡିହା ଅଭୟାରଣ୍ୟ ଦନ୍ତା ହାତୀ ରାସ୍ତାକୁ ବାହାରି ପଡିବାରୁ ହାତୀ ସହ ସମ୍ନାସାମ୍ନି ହୋଇଥିଲେ ଶ୍ୟାମସୁନ୍ଦର। ପଛକୁ ଫେରିବା ସମ୍ଭବପର ହୋଇନଥିଲା ବେଳେ ଦନ୍ତା ହାତୀଟି ସାଇକେଲ ସହ ଶ୍ୟାମସୁନ୍ଦରକୁ କଚାଡି ଦେଇଥିଲା। ଏହା ପରେ ହାତୀ ତାର ଶୁଣ୍ଢ ସାହାଯ୍ୟରେ ରାସ୍ତାରୁ ଟେକି ନେଇ ଶହେ ଫୁଟ ଦୂର ଜଗଂଲରେ ପୁଣି କଚାଡି ଦେଇଥିଲା। ଏତେ ଜୋରରେ କଚାଡି ଥିଲାକି ଗୋଡ ହାତ ଖଣ୍ଡ ବିଖଣ୍ଡିତ ହୋଇ ଏଣେ ତେଣେ ପଡ଼ି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ୟାମସୁନ୍ଦର ଗତ ରାତିରେ ହାଟରୁ ଘରକୁ ଫେରିନଥିବା ବେଳେ ପରିବାରର ତାଙ୍କ ସ୍ତ୍ରୀ, ଦୁଇ ପିଲା ଓ ପଡୋଶୀ ଲୋକେ ଚିନ୍ତାରେ ଥିବା ସହ ତାଙ୍କୁ ଖୋଜୁ ଥିବା ବେଳେ ଶନିବାର ପୂର୍ବାହ୍ନରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଲୋକାରଣ୍ୟ ହେବା ସହ ଶୋକାକୁଳ ପରିବେଶ ଦେଖାଯାଇଥିଲା।
ସୂଚନା ମୁତାବକ କୁଲଡିହା ଅଭୟାରଣ୍ୟର ହାତୀ ଖାଦ୍ୟ ଅନ୍ୱେଷଣରେ ଖସି ଆସି ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ପୁର୍ବରୁ ବହୁ ସମୟରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଖାଦ୍ୟ ପାଇଁ ବାହାରକୁ ବାହାରି ଥାଆନ୍ତି। ସଂରକ୍ଷିତ ଜଗଂଲର ଚାରିପାଖରେ ଥିବା ସଂଲଗ୍ନ ଗ୍ରାମବାସୀ ଙ୍କର କ୍ଷୟକ୍ଷତି କୁ ନେଇ ପୁର୍ବରୁ ବହୁବାର ବନବିଭାର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ନୀଳଗିରି ବନବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଇ ହାତୀ ମାନଙ୍କୁ ଅଭୟାରଣ୍ୟ କୁ ନ ଘଉଡାଇବା ଯୋଗୁଁ ଆଜିର ମୃତ୍ୟୁ କୁ ନେଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଥିବାର ଦେଖିବାକୁ ମିଳିଥିଲା। ଖବରପାଇ ନୀଳଗିରି ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।