ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସେମିନାର ଉଦ୍ଘାଟିତ
ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଭାରତର ବିଚାର : ଅମିତ ଶାହ
ଜ୍ଞାନ ଆଧାରିତ ମହାଶକ୍ତି ଦିଗରେ ଭାରତ ଅଗ୍ରସର : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ସ୍ୱରାଜର ବାଖ୍ୟାରେ ସ୍ୱଦେଶୀ, ସ୍ୱଭାଷା, ସ୍ୱଧର୍ମ, ଆମର ସଂସ୍କତି ଏବଂ ଦେଶର ସର୍ବୋଚ୍ଚ ବିଚାର ସର୍ବପ୍ରଥମେ ସ୍ୱତଃପ୍ରବୃତ ମନକୁ ଆସିଥାଏ । କିନ୍ତୁ ସ୍ୱାଧୀନତା ପରବର୍ତୀ ସମୟରେ ସ୍ୱରାଜର ଏହି ସମସ୍ତ ବାଖ୍ୟାକୁ ଅଣଦେଖା କରି କେବଳ ଶାସନ ବ୍ୟବସ୍ଥାରେ ସୀମିତ କରାଗଲା । ବର୍ତମାନ ସମୟରେ ଏ ସମସ୍ତ ବିଷୟ ଗୁଡିକର ପୁନର୍ବିଚାର ଜରୁରୀ । ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଇଣ୍ଡିଆର ବିଚାର ଏବଂ ଏହି ବିଚାର ହିଁ ଏହାର ମୂଳ ଆଧାର ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ଗୁରୁବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତରାଷ୍ଟ୍ରୀୟ ସେମିନାରକୁ ଉଦଘାଟନ କରିବା ଅବସରରେ ଶ୍ରୀ ଶାହ ଉପସ୍ଥିତ ପ୍ରାଧ୍ୟାପକ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି । “‘ସ୍ୱରାଜ ରୁ ନୂଆ ଭାରତ’ପର୍ଯ୍ୟନ୍ତ ଭାରତ ବିଚାରର ପୁନରାବଲୋକନ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଯେ ଆମ ସ୍ୱରାଜ କଳ୍ପନାରେ ‘ସ୍ୱ’ ଶବ୍ଦର ମହତ୍ୱ ଅଧିକ ଏବଂ ‘ରାଜ’ର ଅର୍ଥ ବ୍ୟବସ୍ଥା ଆଣିବା । ମାତ୍ର ସ୍ୱାଧୀନତା ପରେ ‘ସ୍ୱ’କୁ ଧ୍ୟାନ ନ ଦିଆଯାଇ ଶାସନକୁ ପ୍ରାଧାନ୍ୟ ଦିଆଗଲା । ଏହି କାରଣରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏ ସମସ୍ତ ବିଷୟର ପୁର୍ନବିଚାର ଜରୁରୀ । ସେ ଆହୁରି କହିିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ୧୦୦ ବର୍ଷ ପୂରଣ କରିବା ଏବଂ ଆଗାମୀ ଦିନର ରୂପରେଖ ପ୍ରସ୍ତୁତ କରିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଏକ ବଡ ଉପଲବ୍ଧି । ପରିବର୍ତନର ଯେଉଁ ବିଚାର, ନୀତି କିମ୍ବା କଳ୍ପନା ରହିଛି, ଏହାର ବାହକ ହେଉଛି ବିଶ୍ୱବିଦ୍ୟାଳୟ ଏବଂ ଏହାର ବିଦ୍ୟାର୍ଥୀ । କାଳଖଣ୍ଡ ଯାହା ବି ହେଉ ଅର୍ଥାତ୍ ଯେବେ ବି ଯୁଗ ପରିବର୍ତନ ହୁଏ, ପରିବର୍ତନର ବାହକ ସର୍ବଦା ବିଶ୍ୱବିଦ୍ୟାଳୟ ରୁହେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେମିନାରରେ ଯୋଗଦେଇ କହିଛନ୍ତି ଯେ ବିଗତ ୮ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଭାରତ ଗଠନ କରିବା ଏବଂ ଭାରତକୁ ଏକ ଆର୍ôଥକ ମହାଶକ୍ତି ଭାବରେ ସ୍ଥାପିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଦେଶରେ ଅଭୁତପୂର୍ବ ଗତିରେ କାମ ସମ୍ପନ୍ନ ହେଉଅଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ୱାରା ଏକବିଂଶ ଶତାବ୍ଦୀରେ ଭାରତ ଏକ ଜ୍ଞାନ ଆଧାରିତ ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଛି । ଆଜି ଆମର ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।