କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
୭୦ କୋଟି ଟଙ୍କା ଖର୍ଚ୍ଚ ହେବ, ଏକ ବର୍ଷରେ କାମ ସରିବା ଲକ୍ଷ୍ୟ
ଭୁବନେଶ୍ୱର : କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ । କାମ ଏକ ବର୍ଷରେ ଶେଷ ହେବ । ଓବିସିସି ଦ୍ୱାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ୱରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ୱାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷ ଘର ମଧ୍ୟ ନିର୍ମାଣ କରାଯିବ । ମନ୍ଦିର ପରିସରରେ ଖଣ୍ଡାଲାଇଟସ୍ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ ସିସିଟିଭି ମଧ୍ୟ ଲଗାଯିବ । ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ । ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ କେଂଟ୍ରାଲ ରୁମ୍, କ୍ଲକ୍ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ।
ଏହାସହିତ ଯାତ୍ରୀ ମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ । ବିସ୍ଥାପିତ ଦୋକାନୀ ମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତ ମାନଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ । ପାର୍କିଂ ସହିତ ଖୋଲାସ୍ଥାନ ଓ ଲ୍ୟାଣ୍ଡସ୍କେପିଂ ମଧ୍ୟ ବିକାଶ କରାଯିବ । ଏହି ଯୋଜନାରେ ପାରିପାର୍ଶ୍ୱିକ ଅଂଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ୱ ଆରୋପ କରାଯାଇଛି । ଚଣ୍ଡୀ ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙ୍କ ନିରାପତା ଉପରେ ବିପଦ ସୃଷ୍ଟି କରୁଛି । ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭର୍ଟ କରାଯିବ । ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତି ନିଆଯାଇଛି । କଟକ ସହରର ସାମଗ୍ରିକ ବିକାଶରେ ଚଣ୍ଡୀ ମନ୍ଦିର ର କୟାକଳ୍ପ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏ ଦିଗରେ କଟକ ବାସୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ । ପୂର୍ତ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଯୋଜନା ବିଷୟରେ ଏକ ପ୍ରେଜେେଂଟସନ୍ କରାଯାଇ ଥିଲା । କଟକ ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ । ବର୍ଷ ସାରା ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ପ୍ରତିଦନ ଏଠାକୁ ଆସିଥାନ୍ତି । ଦୁର୍ଗାପୂଜା ସମୟରେ ମାଙ୍କ ଷୋଡଶ ଦିନାତ୍ମକ ପୂଜାରେ ମାଙ୍କ ବିଭିନ୍ନ ବେଶ ଦେଖିବା ପାଇଁ ଏଠାରେ ପ୍ରବଳ ଜନସମାବେଶ ହୋଇଥାଏ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ମାଙ୍କ ପୀଠକୁ ଯାଇ ବିକାଶ ସଂପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମତେ ବରିଷ୍ଠ ଅଧିକାରୀ ଗଣ ଓ ଆରଡିସି, କଟକ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ଆଲୋଚନା ସଂଯୋଜନା କରିଥିଲେ । ବୈଠକ ରେ ଯୋଗ ଦେଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ସେବାୟତଙ୍କ ପ୍ରତିନଧି ମାନେ ଯୋଜନାର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।