ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅମରନାଥ ଯାତ୍ରାର ସୁରକ୍ଷାକୁ ସମୀକ୍ଷା କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଉକ୍ତ ବୈଠକ ୨ଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ବୈଠକ ପାଖାପାଖି ୪୫ ମିନିଟ୍ ଚାଲିଥିଲା । ଏଥିରେ ସ୍ୱାସ୍ଥ୍ୟ, ସଡ଼କ ଓ ସଞ୍ଚାରକୁ ନେଇ କ’ଣ କ’ଣ କାମ ଚାଲୁଛି ଏବଂ କେବେ ସୁଦ୍ଧା ଶେଷ ହେବ ସେନେଇ ଆଲୋଚନା ହୋଇଥିଲା । ଏଥିରେ ଶାହଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଏକେ ଭଲ୍ଲା, ସିଆରପିଏଫ୍ ଡିଜି କୁଲଦୀ ସିଂହଙ୍କ ସମେତ ବିଏସଏଫ ଓ ଗୃହ ମନ୍ତ୍ରଣାଳୟର ଅନେକ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଉଚ୍ଚସ୍ତରୀୟ ବୈଠକରେ ଯାତ୍ରୀଙ୍କ ଆବଶ୍ୟକତା ହିସାବରେ ଶ୍ରୀନଗରରେ ବିମାନ ସେବା ବଢ଼ାଇବା ସମେତ ଗୃହମନ୍ତ୍ରୀ ଅନେକ ନିର୍ଦ୍ଦେଶ ଦେଇଛନ୍ତି । ୬ହଜାର ଫୁଟ ଉର୍ଦ୍ଧ୍ୱ ଉଚ୍ଚରେ ହସ୍ପିଟାଲ ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ରାସ୍ତାରେ ଯାତ୍ରୀଙ୍କ ବିଶ୍ରାମ ପାଇଁ ଟେଣ୍ଟ ସିଟିର ବ୍ୟବସ୍ଥା କରାଯିବ । ଭୂସ୍ଖଳନରୁ ଆସୁଥିବା ବିପତ୍ତିକୁ ସାମ୍ନା କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଅମରନାଥ ଯାତ୍ରା ଜୁନ୍ ୩୦ରୁ ଆରମ୍ଭ ହେବ । କରୋନା ଯୋଗୁ ୨ ବର୍ଷ ହେବ ଏହି ଯାତ୍ରା ସ୍ଥଗିତ ରଖାଯାଇଥିଲା । ଏଥର ଯାତ୍ରା ପାଇଁ ସୁରକ୍ଷାବଳ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛି ।