ସୁପ୍ରିମକୋର୍ଟରେ ‘ଜ୍ଞାନବ୍ୟାପୀ’ ମାମଲା, ଆଜି ଶୁଣାଣି
ଲକ୍ଷ୍ନୌ: ବାରାଣାସୀର ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିଥିବା ଭିଡିଓଗ୍ରାଫି ସର୍ଭେକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ହୋଇଥିବା ମାମଲାର ମଙ୍ଗଳବାର ଶୁଣାଣି ହେବ । ଆହ୍ଲାବାଦ ଉଚ୍ଚନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ମନା କରିବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ୱରସ୍ଥ ହୋଇଛନ୍ତି ମୁସଲିମ ପକ୍ଷ । ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସୋମବାର ତୃତୀୟ ଦିନର ସର୍ଭେ ଶେଷ ହେବା ପରେ ବାରାଣାସୀ କୋର୍ଟରେ ଭିଡିଓଗ୍ରାଫି ସର୍ଭେର ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି ।
ତେବେ ମସଜିଦ ପରିସରରେ ଭିଡିଓଗ୍ରାଫିକୁ ପ୍ରଥମ ଦିନରୁ ବିରୋଧ କରିଆସୁଛନ୍ତି ମୁସଲିମ ପକ୍ଷ । ବାରାଣାସୀର ଅଞ୍ଜୁମାନିଆ ମସଜିଦ ପରିଚାଳନା କମିଟି ତଳ- କୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ଭିଡିଓ ସର୍ଭେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଏହି ମାମଲା ଦାଏର କରିଥିଲା ।ତେବେ ମାମଲାକୁ ଜରୁରୀ ତାଲିକାରେ ସୂଚୀତ କରିବା ଓ ତ୍ୱରିତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ପାଇଁ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନିର୍ଦ୍ଦେଶ ପରେ ମଙ୍ଗଳବାର ଏହାର ଶୁଣାଣି କରିବାକୁ ତାରିଖ ଚୂଡାନ୍ତ କରାଯାଇଛି । ଅନ୍ୟପଟେ ସୋମବାର ଭିଡିଓଗ୍ରାଫି ପରେ ମସଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ମିଳିଥିବା ଦାବି ଉଠିବା ପରେ ମଙ୍ଗଳବାର ସର୍ବୋଚ୍ଚ କୋର୍ଟ କଣ ରାୟ ଦେଉଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ସୂଚନା ଯେ, ବାରଣାସୀରେ ଜ୍ଞାନବାପୀ ମସଜିଦରେ ସର୍ଭେ ଶେଷ ହୋଇଛି । କିନ୍ତୁ ଦାବି ଉପରେ ଏବେ ବିବାଦ ଦେଖାଦେଇଛି । ଶେଷ ଦିନର ସର୍ଭେ ପରେ ହିନ୍ଦୁ ପକ୍ଷ ସେଠାରୁ ଶିବଲିଙ୍ଗ ମିଳିଥିବାର ଦାବି କରିଥିଲେ । ଏକ କୂଅରୁ ଏହି ଶିବଲିଙ୍କ ବାହାରିଥିବା କୁହାଯାଇଥିଲା । ଜଳ ନିଷ୍କାସନ ହେବା ମାତ୍ରେ ସେଠାରେ ଉପସ୍ଥିତ ଥିବା ହିନ୍ଦୁ ପକ୍ଷ ଆନନ୍ଦିତ ହୋଇଉଠିଥିଲେ, କାରଣ ସେଠାରେ ୧୨.୮ ଫୁଟ ବ୍ୟାସାର୍ଦ୍ଧାର ଏକ ଶିବଲିଙ୍ଗ ମିଳିଥିଲା ସେମାନେ ଦାବି କରିଥିଲେ । ହିନ୍ଦୁ ପକ୍ଷଙ୍କ ଓକିଲ ମଦନ ମୋହନ କହିଥିଲେ ଯେ, ପାଣି ହଟିବା ପରେ ସେଠାରୁ ଶିବଲିଙ୍ଗ ପ୍ରକଟ ହୋଇଥିଲା । ଯାହାର ବ୍ୟାସ ୧୨ଫୁଟ ୮ଇଞ୍ଚ। ଏହା ଖୁବ ଗଭୀରରେ ଥିଲା। ଅନ୍ୟପଟେ କିନ୍ତୁ ମୁସଲିମ୍ ସମ୍ପ୍ରଦାୟ କହିଛନ୍ତି ଯେ, ଦାବି ମୁତାବକ କୌଣସି ଜିନିଷ ମିଳିନାହିଁ । ଅନ୍ୟ ଦିଗରେ ବାଦ ପ୍ରତିବାଦ ମଧ୍ୟରେ କମିଶନର ଅଜୟ କୁମାର ମିଶ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇବା ପାଇଁ କହିଥିବା ବେଳେ ଶିବଲିଙ୍ଗ ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିଛନ୍ତି ।