୫ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ : ଦୁଇ ବିକ୍ରେତାଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ ଗ୍ରାମବାସୀ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ମେରାଇନ୍ ଥାନା ଉଦୟପୁର ଗାଁରେ ଶନିବାର ଦୁଇ ବଙ୍ଗୀୟ ବ୍ରାଉନ୍ସୁଗାର ବିକ୍ରେତା ଯୁବକଙ୍କୁ ଗ୍ରାମର ସାହସୀ ଯୁବକମାନେ କୌଶଳ ଭାବେ କାବୁ କରି ୧୮ଟି ବ୍ରାଉନ୍ସୁଗାର ପୁଡ଼ିଆ ଜବତ କରିବା ସହିତ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ୍ ଛେଚିଛନ୍ତି ।
ନିଶା ବେପାରୀମାନେ ଆଣିଥିବା ଏକ ଟାଟା ମେଜିକ୍ ଗାଡ଼ିକୁ ଅଟକ ରଖି ତାଳସାରୀ ମେରାଇନ୍ ଥାନାରେ ଜିମା ଦେଇଛନ୍ତି । ଦୁଇ ନିଶା ବେପାରୀ ହେଲେ ପଶ୍ଚିମବଙ୍ଗ ଦୀଘା ଥାନ ଅଞ୍ଚଳ ବିଲାମୁଣ୍ଡା ଗ୍ରାମର ଦିପୁ ସିଟ୍ ଓ ଦେବୁ ସିଟ୍ । ଏମାନଙ୍କ ଠାରୁ ଜବତ ହୋଇଥିବା ବ୍ରାଉନ୍ସୁଗାରର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଦୁଇ ନିଶାବେପାରୀଙ୍କ ସହିତ ଗାଡ଼ିକୁ ମେରାଇନ୍ ଥାନାରେ ରଖାଯାଇ ଏକ ମାମଲା ରୁଜୁ କରାଯାଇଛି ।