ବାଲେଶ୍ୱର ପୌରାଞ୍ଚଳ ପାଇଁ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ
ଜିଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଶନିବାର ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ ପାଳିତ ହୋଇଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲାରେ ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସିଡ଼ିଭିଓ ଡା. ଦୟାନିଧି ପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବନମାଳୀ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ରହି ଏହି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳର ଅଗ୍ରଣୀ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ/ଚିକିତ୍ସିକା ଏବଂ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୨’ ସମ୍ପର୍କିତ ଏକ ସ୍ମରଣିକାକୁ ଜିଲାପାଳ ତଥା ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ବାଲେଶ୍ୱର ପୌରପାଳିକା ଅଞ୍ଚଳରେ ବୁଲା ଗୋରୁଗାଈ, କୁକୁର ସମେତ ଅନ୍ୟାନ୍ୟ ପ୍ରାଣୀ ଓ ବିକଳାଙ୍ଗ ପଶୁମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ସେବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସେବା ଯୋଗାଇ ଦେବା ପାଇଁ ଏକ ଟୋଲ୍ ଫ୍ରି ନମ୍ବର ୧୮୦୦-୩୪୫-୭୧୪୭ ର ବ୍ୟବସ୍ଥା କରାଯାଇଛି । ସକାଳ ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଦିଆଯିବାକୁ ଥିବାବେଳେ ଏହା କେବଳ ବୁଲା ଓ ଅସହାୟ ପ୍ରାଣୀ ପାଇଁ ଉଦ୍ଦିଷ୍ଟ । କୌଣସି ଘରୋଇ ପ୍ରାଣୀଙ୍କ ଚିକିତ୍ସା ପାଇଁ ଏହି ସେବା ଉପଲବ୍ଧ ହେବ ନାହିଁ । କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ, ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ, ଅଗ୍ରଣୀ ଚାଷୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହି ପାରସ୍ପରିକ ମତବିନିମୟ କରିଥିଲେ । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ ପାଳନ ପରିପ୍ରେକ୍ଷୀରେ ଗତ ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଜିଲାସ୍ତରୀୟ ପ୍ରାଣୀ ଚିକିତ୍ସା ଶିବିର ନୀଳଗିରି ଉପଖଣ୍ଡ ଅଧୀନ ମିତ୍ରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିଜ୍ଞ ପ୍ରାଣୀ ଚିକିତ୍ସକମାନେ ଉପସ୍ଥିତ ରହି ୧୯୫ଟି ଗୋରୁଗାଈ ଓ ଛେଳିମାନଙ୍କୁ ମାଗଣା ଚିକିତ୍ସା ଓ ଔଷଧ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରଞ୍ଜନ କୁମାର ଦାସ ଉପସ୍ଥାପନା କରିଥିବା ବେଳେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଜୀବ ମଙ୍ଗଳ) ଡା. ଅଜିତ୍ କୁମାର ସାମଲ ଏହାର ସଞ୍ଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶିବପ୍ରସାଦ ଦାଶ, ବାଲେଶ୍ୱର ପ୍ରାଣୀ ଚିକିତ୍ସାଳୟ ଉପ-ନିର୍ଦ୍ଦେଶକ ଡା. ସଦାଶିବ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ ।