ଜାତୀୟ ମହିଳା ଟି-୨୦: କ୍ୱାର୍ଟରରେ ଓଡ଼ିଶା
ଭୁବନେଶ୍ୱର : ତ୍ରିଭେନ୍ଦ୍ରମଠାରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଟ୍ୱେଂଟି-୨୦ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ନିଜର ସମସ୍ତ ୫ ଲିଗ୍ ମ୍ୟାଚ୍ ଜିତି ସିଧାସଳଖ କ୍ୱାର୍ଟରଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛି । ତ୍ରିଭେନ୍ଦ୍ରମର ଗ୍ରିନ୍?ଫିଲ୍ଡ ଷ୍ଟାଡିୟମ୍ରେ ରବିବାର ଓଡ଼ିଶା ମହିଳା ଦଳ ରୋମାଂଚକ ଭାବେ ୨ ରନ୍ରେ ଶକ୍ତିଶାଳୀ ତାମିଲନାଡୁକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା । ମାଧୁରୀ ମେହେଟା, କାଜଲ ଜେନା, ସୁଶ୍ରୀ ପ୍ରିୟଦର୍ଶିନୀ ନିରାଶ କରିବା ପରେ ଅତୁଟ ଚତୁର୍ଥ ୱିକେଟ୍ ଭାଗୀଦାରିରେ ସରିତା ମେହେର (୬୧ଂଚ ରନ୍, ୫୧ ବଲ୍, ୮ ଚୌକା, ୧ ଛକ) ଏବଂ ୱିକେଟକିପର୍ ବ୍ୟାଟର୍ ପ୍ରଜ୍ଞା ମହାନ୍ତି (୫୯ଂଚ ରନ୍, ୫୧ ବଲ୍, ୭ ଚୌକା, ୧ ଛକା) ୮୯ ବଲ୍ରୁ ୧୧୧ ରନ୍ ଯୋଡି ତାମିଲନାଡୁ ପାଇଁ ଆହ୍ୱାନ ଆଣିଥିଲେ । ତାମିଲନାଡୁ ପାଇଁ କେଏନ୍ ରାମ୍ୟାଶ୍ରୀ (୨/୧୪) ଚମତ୍କାର ବୋଲିଂ କରିଥିଲେ ।
ଜବାବରେ ଓଡ଼ିଶା ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ବାହାର କରିଥିଲେ । ୨୮ ରନ୍ରେ ୩ ୱିକେଟ୍ ହରାଇବା ପରେ ତାମିଲନାଡୁ ପାଇଁ ଏସ୍ ଅନୁଶା (୫୫ଂଚ, ୪୩ ବଲ୍) ଏବଂ ଏମ୍ଡି ଥିରୁଷକାମିନୀ (୩୧, ୩୬ ବଲ୍) ୫୯ ରନ୍? ଭାଗୀଦାରି ଗଢ଼ିଥିଲେ । ତେବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ (୪-୦-୨୪-୪) ଚମତ୍କାର ବୋଲିଂ କରି ତାମିଲନାଡୁ (୧୩୧/୮)କୁ ଲକ୍ଷ୍ୟ ପଥରେ ପହଂଚାଇ ଦେଇନଥିଲେ । ରସନାରା ପରବିନ (୧/୨୧), ରାମେଶ୍ୱରୀ ନାଏକ (୧/୧୦), ସୁଶ୍ରୀ ଦିବ୍ୟଦର୍ଶିନୀ (୧/୩୫) ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ଗ୍ରୁପ୍ ବିଜେତା ହୋଇଥିବାରୁ ଓଡ଼ିଶା କ୍ରିକେଟ୍ ସଂଘ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଏପ୍ରିଲ୍ ୨୮ ତାରିଖରୁ ସୁରଟରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲ୍? ଲାଗି ଓଡ଼ିଶା ଦଳ ତ୍ରିଭେନ୍ଦ୍ରମରୁ ମଙ୍ଗଳବାର ଯାତ୍ରା କରିବ ।