ସ୍କୁଲ ପିଲାଙ୍କୁ ଥଣ୍ଡା ଜ୍ୱରର ଲକ୍ଷଣ ଥିଲେ ଟେଷ୍ଟ କରି ଆଇସୋଲେସନ୍ରେ ରହିବାକୁ ପରାମର୍ଶ
ଭୁବନେଶ୍ୱର : ଯଦି ସ୍କୁଲ ପିଲାଙ୍କୁ ଥଣ୍ଡା ଜ୍ୱରର ଲକ୍ଷଣ ରହୁଛି ତେବେ ଅଭିବାବକ ଓ ସ୍କୁଲ କର୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସଲେସନରେ ରଖନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଭିଭାବକ ଓ ସ୍କୁଲ କର୍ତୃପକ୍ଷଙ୍କୁ ସେ ଏହି ପରାମର୍ଶ ଦେଇଛନ୍ତି । ସାମ୍ବାଦିକ ମାନଙ୍କ କଥାବାର୍ତା ବେଳେ ସେ କହିଛନ୍ତି ଯେ ଯଦି ଆମେ ଜାଣି ଜାଣି ଟେଷ୍ଟ ନ କରିବା, ତେବେ ବିପଦକୁ ଡାକିବା ସହ ସମାନ । ଥଣ୍ଡା ଜ୍ୱର ଅର୍ଥ କେବଳ କରୋନା ନୁହେଁ । ଅନ୍ୟ ଭାଇରଲ ଇଂଫେକ୍ସନ ବି ଥଣ୍ଡା ଜ୍ୱର କରାଇଥାଏ । ତେଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।
ସେହିପରି ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ସଂକ୍ରମଣ ବଢିବ ନାହିଁ ବୋଲି କହି ହେବ ନାହିଁ । କରୋନା ସଂକ୍ରମଣ କିପରି ରାଜ୍ୟରେ ନ ବଢିବ ସେଥି ପାଇଁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ କିପରି ନ ବଢ଼ିବ, ଯଦି ବଢ଼ିବ କିଭଳି ଆୟତ କରାଯିବ, ତାକୁ ଗୁରୁତ୍ୱ ଦିଆଯାଉଛି । ଆଜି ରାଜ୍ୟରେ ମାତ୍ର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ଥିତି ଭଲ ଅଛି । ସେ ଆହୁରି କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ଅଛି । ସରକାର ବାରମ୍ବାର କହୁଛନ୍ତି, ଯଦି ଆବଶ୍ୟକ ପଡ଼ିବ, ସଙ୍ଗେସଙ୍ଗେ ସ୍ୱାସ୍ଥ୍ୟ ଭିତିଭୂମି ବଢ଼ାଯିବ । ରାଜ୍ୟରେ ଔଷଧ ଓ ଅକ୍ସିଜେନ ବିପୁଳ ପରିମାଣରେ ମହଜୁଦ ଅଛି ।