ଆର୍ଥ ଆୱାର ପାଳନ : ଘଂଟାକ ଲାଗି ଅନ୍ଧାରରେ ସାରା ବିଶ୍ୱ
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଶନିବାର ଆର୍ଥ ଆୱାର ପାଳନ କରାଯାଇଛି । ପ୍ରକୃତି ଓ ଗ୍ରହଙ୍କ ସମର୍ଥନରେ ବିଶ୍ୱବାସୀ ପୁରା ଘଂଟାକ ଲାଗି ବିଦ୍ୟୁତ ବ୍ୟବହାର ବନ୍ଦ କରିଛନ୍ତି । ଏଥିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଆର୍ଥ ଆୱାର-୨୦୨୨ ପାଳିତ ହୋଇଛି । ଏହି ସମୟରେ ରାଷ୍ଟ୍ରପତି ଭବନ, ଇଣ୍ଡିଆଗେଟ୍ ସମେତ ସମଗ୍ର ରାଜଧାନୀରେ ବିଦ୍ୟୁତ ଆଲୋକ ଲିଭାଇ ଦିଆଯାଇଥିଲା । ସେପଟେ ବୃହନ୍ମୁମ୍ବାଇ ନଗରନିଗମ (ବିଏମସି) ଭବନର ସମସ୍ତ ଆଲୋକ ଲିଭାଯାଇଛି ।
ପ୍ରତ୍ୟେକ ବର୍ଷ ଆର୍ଥ ଆୱାର ପାଳିତ ହେଉଛି । ତେବେ ଚଳିତବର୍ଷ ସମୟ ରାତି ସାଢ଼େ ୮ରୁ ସାଢେ ୯ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳିତ ହୋଇଛି । ପ୍ରତିବର୍ଷ ମାର୍ଚ୍ଚମାସର ଶେଷ ଶନିବାରକୁ ଆର୍ଥ ଆୱାର ପାଳିତ ହୁଏ । ଆର୍ଥ ଆୱାର ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ହେଉଥିବା ଶକ୍ତି ଖର୍ଚ୍ଚ ଘଂଟାକ ଲାଗି ବଂଚାଇବା । ପ୍ରକୃତିର ସୁରକ୍ଷା ଓ ଜଳବାୟୁ ପରିବର୍ତନ ସମେତ ଶତତ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଏହି ଦିନଟି ପାଳିତ ହୋଇଥାଏ । ଆର୍ଥଆୱାର ପାଳନ ଲାଗି ଘଂଟାକ ଲାଗି ରାଷ୍ଟ୍ରପତି ଭବନର ସମସ୍ତ ଆଲୋକ ଲିଭାଇ ଦିଆଯାଇଥିଲା । ବିଦ୍ୟୁତ ଆଲୋକରେ ସବୁଦିନ ଝଲମଲ କରୁଥିବା ଇଣ୍ଡିଆ ଗେଟ୍ରେ ବି ଶନିବାର ରାତି ନିଷ୍ପ୍ରଭ ଥିଲା । ରାଜଧାନୀ ଦିଲ୍ଲୀ ବାସୀ ନିଜନିଜ ଘରର ଆଲୋକ ଲିଭାଇ ବିଶ୍ୱଲାଗି ଘଂଟାଟିଏ ପାରମ୍ପରିକ ଆଲୋକରେ ନିଜକୁ ଆଲୋକିତ କରିଥିଲେ । ଏ ବାବଦେ ଘଂଟକର ଶକ୍ତି ସଂଚୟ କରିଛନ୍ତି । କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ସହର ଓ ଗ୍ରାମାଂଚଳରେ ମଧ୍ୟ ଲୋକେ ଆର୍ଥ ଆୱାର ପାଳନ କରିଛନ୍ତି ।