ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଆ ପର୍ବାତାରୋହୀ ସିଦ୍ଧାର୍ଥ ରାଉତରାୟ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଆ ପର୍ବାତାରୋହୀ ତଥା କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ପର୍ବତାରୋହଣ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି ସିଦ୍ଧାର୍ଥ ରାଉତରାୟ।
ତିନିଟି ମହାଦେଶର ତିନୋଟି ଉଚ୍ଚତମ ଗିରିଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି। ଉତ୍ତର ଆମେରିକାର ମାଉଣ୍ଟ ଦେନ୍ନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଆକୋନକାଗୁଆ ଓ ଆଫ୍ରିକାର କିଲିମାଞ୍ଜେରୋ। ସେହିପରି ସାତୋଟି ମହାଦେଶର ସାତୋଟି ଶିଖର ଆରୋହଣ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ବାନା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହିଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ସଫଳତା କାମନା କରିଛନ୍ତି। ସିଦ୍ଧାର୍ଥ ରାଉତରାୟ ଏବେ ଆମେରିକାର ସିଲିକନ ଭ୍ୟାଲିରେ ରହୁଛନ୍ତି। ସେ ହେଉଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ। ଏହି ସାକ୍ଷାତ ଆଲୋଚନା ବେଳେ ବିଧାୟକ ସୁରେଶ ରାଉତରାୟ ଓ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।