ଜୁଲାଇ ୩୧ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ସୁଦ୍ଧା ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷକୁ ଚିଠି ଲେଖାଯାଇଛି ।
ବିଭାଗ କହିଛି, ଚଳିତ ଶିକ୍ଷା ବର୍ଷ ୨୦୨୧–୨୨ ପାଇଁ ଆସନ୍ତା ଜୁଲାଇ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟାର ତଥା ବାର୍ଷିକ ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରାଯାଉ । ଏଥିପାଇଁ ଆବଶ୍ୟକ ପଡ଼ିଲେ ଏକ୍ସଟ୍ରା କ୍ଲାସ୍ କରାଯିବ । ସେହିପରି ଅନ୍ୟ ପିଜି ଓ ୟୁଜି ସେମିଷ୍ଟାର ପରୀକ୍ଷା ଆସନ୍ତା ଶିକ୍ଷା ବର୍ଷଠାରୁ ଜୁନ ସୁଦ୍ଧା ଶେଷ କରି ଫଳ ପ୍ରକାଶ କରିବାକୁ କୁହାଯାଇଛି ।