ସେୟାର ବଜାରରେ ସୁଧାର! ସେନସେକ୍ସରେ ବର୍ଷର ସବୁଠାରୁ ବଡ଼ ବୃଦ୍ଧି
ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ରେକର୍ଡ ହ୍ରାସ ପାଇବା ପରେ ଘରୋଇ ଷ୍ଟକ୍ ମାର୍କେଟରେ ମଙ୍ଗଳବାର ଆସିଛି ସୁଦ୍ଧାର । ଆଜି ସେୟାର ବଜାରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କରେ ବର୍ଷର ସବୁଠାରୁ ବଡ଼ ବୃଦ୍ଧି ଘଟିଛି । ୧୭୩୬.୨୧ ଅଙ୍କ ଅର୍ଥାତ ୩.୦୮ ପ୍ରତିଶତ ବଢି ୫୮,୧୪୨.୦୫ ପଏଣ୍ଟରେ କାରବାର ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୫୦୯.୬୫ ଅଙ୍କ ଅର୍ଥାତ୍ ୩.୦୩ ପ୍ରତିଶତ ବଢି ୧୭,୩୫୨.୪୫ ସ୍ତରରେ ବନ୍ଦ ହୋଇଛି । ଆଜି ସେନସେକ୍ସ ୩୫୩.୫୮ ଅଙ୍କ ବୃଦ୍ଧି ସହ କାରବାର ଆରମ୍ଭ କରିଥିଲା । ସେହିପରି ନିଫ୍ଟି ୧୦୩.୬୦ ଅଙ୍କ ବଢି ୧୬୯୪୬.୪୦ ପଏଣ୍ଟରୁ କାରବାର ଆରମ୍ଭ କରିଥିଲା । ଏହାପୂର୍ବରୁ ସୋମବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସେନ୍ସେକ୍ସ ୧୭୪୭.୦୮ ଅର୍ଥାତ ୩ % ତଳକୁ ଖସି ୫୬,୩୪୧.୫୯ରେ ବନ୍ଦ ହୋଇଥିଲା । ଗତ ୧୦ ମାସ ମଧ୍ୟରେ ଏହା ସବୁଠାରୁ ବଡ ହ୍ରାସ ବୋଲି କୁହାଯାଇଥିଲା ।
ମଙ୍ଗଳବାର ବି ନିଫ୍ଟିର ସମସ୍ତ ବିଭାଗ ସବୁଜ ସଂକେତରେ ବନ୍ଦ ହୋଇଥିଲା । ଅଟୋ ସେକ୍ଟରରେ ସବୁଠାରୁ ବଡ ବୃଦ୍ଧି ଦେଖିବାକୁ ମିଳିଛି । ଏହା ୪.୦୧ ପ୍ରତିଶତ ବଢିଛି । ବ୍ୟାଙ୍କ,ଫାଇନାନ୍ସ,ସର୍ଭିସ, ଆଇଟି, ମିଡିଆ, ପିଏସସି ବ୍ୟାଙ୍କ, ପ୍ରାଇଭେଟ ବ୍ୟାଙ୍କରେ ତିନି ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପଟେ ଏଫଏମସିଜି ଏବଂ ମେଟଲରେ ଯଥାକ୍ରମେ ୨.୧୮ ଏବଂ ୨.୨୧ ପ୍ରତିଶତ ବୃଦ୍ଧି ହୋଇଛି । ଫର୍ମାରେ ୦.୭୯ ପ୍ରତିଶତ ବୃଦ୍ଧି ହୋଇଛି ।