ଆସିଛି ନିର୍ବାଚନ ସମୟ! ଭୋଟର ତାଲିକାରେ ନାମ ଅଛି କି ନାହିଁ ଜାଣିବାକୁ ଚାହାଁନ୍ତି କି? ଏହି ଟିପ୍ସ ଆପଣାନ୍ତୁ, ଚୁଟକିରେ ଜାଣି ପାରିବେ
ଭାରତରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ଦିଆଯାଇଛି । ଆପଣ ଭୋଟ୍ ଦେବା ପାଇଁ ପ୍ରଥମେ ଆପଣଙ୍କ ଭୋଟର ପରିଚୟ ପତ୍ର ତିଆରି କରିବାକୁ ପଡିବ, ଯାହା ପରେ ଆପଣଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ । ମନେରଖନ୍ତୁ ଯଦିଓ ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ ଏବଂ ଆପଣଙ୍କର ଏକ ଭୋଟର ପରିଚୟ ପତ୍ର ମଧ୍ୟ ଅଛି, କିନ୍ତୁ ଆପଣଙ୍କର ନାମ ଭୋଟର ତାଲିକାରେ ନ ଆସିବା ପର୍ଯ୍ୟନ୍ତ ଆପଣ ଭୋଟ୍ ଦେଇପାରିବେ ନାହିଁ । ଭୋଟର ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରିବାକୁ ନେଇ ଏଠାରେ ଆମେ ଆପଣଙ୍କୁ ଏକ ସହଜ ଟିପ୍ସ କହିବାକୁ ଯାଉଛୁ…
ଟୋଲ୍ ଫ୍ରି ନମ୍ବରକୁ କଲ କରି ପାଇପାରିବେ ସୂଚନା :
ଭୋଟରଙ୍କ ସମସ୍ୟାର ସମାଧାନ ପାଇଁ ଭାରତର ନିର୍ବାଚନ ଆୟୋଗ ଏକ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ୧୯୫୦ ଜାରି କରିଛି । ଦେଶର ଯେକୌଣସି ରାଜ୍ୟରେ ରହୁଥିବା ଭୋଟରମାନେ ସେମାନଙ୍କ ସମସ୍ୟା ବିଷୟରେ ୧୯୫୦ କୁ କଲ କରି ଜାଣିପାରିବେ । ଯାହା ପରେ ଆପଣ ସମ୍ପୃକ୍ତ ରାଜ୍ୟର ହେଲ୍ପଡେସ୍କ ସହିତ ସଂଯୁକ୍ତ ହେବ । ଏହି ହେଲ୍ପଲାଇନ ନମ୍ବରରେ, ଆପଣ ଭୋଟର ତାଲିକାରେ ଏଣ୍ଟ୍ରି କରିଥିବା ନାମ ବିଷୟରେ ମଧ୍ୟ ସୂଚନା ପାଇବେ ଓ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ମଧ୍ୟ ଜଣିଆପରିବେ । ଏହା ବ୍ୟତୀତ, ଆପଣ ୧୯୫୦ କୁ କଲ କରି ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ ।
ଏସଏମଏସ ମାଧ୍ୟମରେ ମଧ୍ୟ ଜାଣି ପାରିବେ :
ଏସଏମଏସ ମାଧ୍ୟମରେ ମଧ୍ୟ ଭୋଟର ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲ୍ ନମ୍ବରରୁ EPIC ଲେଖିବାକୁ ପଡିବ ଏବଂ ତା’ପରେ ଏକ ସ୍ପେସ୍ ଦେବାକୁ ପଡିବ । ସ୍ପେସ୍ ଦେବା ପରେ, ଆପଣଙ୍କ ଭୋଟର ଆଇଡି କାର୍ଡ ନମ୍ବର ଲେଖିବାକୁ ପଡିବ ଯାହାକୁ ୧୯୫୦ କୁ ପଠାଇବାକୁ ପଡିବ । ଏସଏମଏସ ପଠାଇବା ପରେ, ଆପଣଙ୍କର ସବିଶେଷ ତଥ୍ୟ ଯେପରିକି ପୋଲିଂ ଷ୍ଟେସନ୍ ନମ୍ବର ଏବଂ ନାମ ଆପଣଙ୍କ ମୋବାଇଲ୍ ସ୍କ୍ରିନରେ ଦେଖାଯିବ । ଯଦି ଆପଣଙ୍କର ନାମ ଭୋଟର ତାଲିକାରେ ନ ଥାଏ, ତେବେ ଏସଏମଏସର ଉତ୍ତରରେ ‘କୌଣସି ରେକର୍ଡ ମିଳିବ ନାହିଁ’ । ଏହାର ଅର୍ଥ ଏହା ଯେ ଆପଣ ଭୋଟ୍ ଦେବାକୁ ସମର୍ଥ ହେବେ ନାହିଁ ।
ନିର୍ବାଚନ ଆୟୋଗର ୱେବସାଇଟ୍ ମଧ୍ୟ ଏକ ବିକଳ୍ପ :
ଏହା ବ୍ୟତୀତ, ଆପଣ ଭାରତର ନିର୍ବାଚନ ଆୟୋଗର ୱେବସାଇଟ୍ ଭିଜିଟ କରି ଭୋଟର ତାଲିକାରେ ମଧ୍ୟ ନିଜ ନାମ ଦେଖିପାରିବେ । ଏହି ପ୍ରକ୍ରିୟା ମଧ୍ୟ ବହୁତ ସହଜ ଅଟେ । ସର୍ବପ୍ରଥମେ ଆପଣଙ୍କୁ ନିର୍ବାଚନ ଆୟୋଗର ୱେବସାଇଟ୍ https://eci.gov.in/ କୁ ଯିବାକୁ ପଡିବ । ଏହାପରେ ଆପଣଙ୍କୁ ମୁଖ୍ୟ ପେଜରେ ଦେଖାଯାଉଥିବା ଭୋଟର ସର୍ଭିସ ଉପରେ କ୍ଲିକ୍ କରିବାକୁ ପଡିବ । ଭୋଟର ସର୍ଭିସ ଉପରେ କ୍ଲିକ୍ କରିବା ପରେ ଏକ ନୂତନ ପେଜ୍ ଖୋଲିବ । ନୂତନ ପେଜରେ, ଆପଣଙ୍କୁ ଆବଶ୍ୟକୀୟ ବିବରଣୀ ଏଣ୍ଟ୍ରି କରି ଏକ ଆକାଉଣ୍ଟ୍ ସୃଷ୍ଟି କରିବାକୁ ପଡିବ ଏବଂ ତା’ପରେ ମୋବାଇଲ୍ ନମ୍ବର ଏବଂ ପାସୱାର୍ଡ ପ୍ରବେଶ କରି ଲଗ୍ ଇନ୍ କରିବାକୁ ପଡିବ । ଏହାପରେ ଲଗ୍ ଇନ୍ କରି ନିଜ ନାମ ଦେଖିପାରିବେ ।