ଅଧିକାର ଏବଂ କର୍ତବ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ : ରାଷ୍ଟ୍ରପତି
୭୩ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ
କୋଭିଡ୍ ଟିକାକୁ ଲୋକମାନେ ଏକ ଗଣ ଆନ୍ଦୋଳନରେ ପରିଣତ କରିଛନ୍ତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ଗଣତନ୍ତ୍ର ଦିବସ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖୁଥିବା ଏକ ଜାତୀୟ ଉତ୍ସବ । ଅଧିକାର ଏବଂ କର୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ରାଷ୍ଟ୍ରପତି କହିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି, ୧୯୫୦ରେ ଆଜିର ଦିନରେ ଆମ ସମସ୍ତଙ୍କୁ ଗୌରବଶାଳୀ ପରିଚୟ ମିଳିଥିଲା । ପ୍ରତି ବର୍ଷ ଗଣତନ୍ତ୍ର ଦିବସକୁ ଆମେ ନିଜର ଗତିଶୀଳ ଗଣତନ୍ତ୍ର ତଥା ଜାତୀୟ ଏକତାର ଭାବନା ଉତ୍ସବ ଭାବେ ପାଳନ କରିଥାଉ । ମହାମାରୀ କାରଣରୁ ଚଳିତ ବର୍ଷର ଧୂମଧାମ ଉତ୍ସବ ପାଳନରେ କିଛିଟା କମ ହୋଇଛି । ମାତ୍ର ଆମର ଭାବନା ସର୍ବଦା ମଜବୁତ ରହିଛି । ଗଣତନ୍ତ୍ର ଦିବସର ଏହି ଦିନ ସେହି ମହାନାୟକଙ୍କୁ ମନେ ପକାଇବାର ଏକ ଦିନ, ଯେଉଁମାନେ ସ୍ୱରାଜର ସ୍ୱପ୍ନ ସାକାର କରିବା ପାଇଁ ଅତୁଳନୀୟ ସାହାସର ପରିଚୟ ଦେଇଥିଲେ । ସେମାନଙ୍କ ପାଇଁ ହିଁ ଦେଶବାସୀଙ୍କ ମଧ୍ୟରେ ସଂଘର୍ଷର ଉତ୍ସାହ ଜାଗି ଉଠିଛି । ମାନବ ସମୁଦାୟକୁ ପରସ୍ପରର ସାହାଯୟ କରିବାକୁ ଆଜି ଯେତିକି ଆବଶ୍ୟକତା ପଡିଛି, ତାହା ପୂର୍ବରୁ କେବେ ପଡିନଥିଲା । ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଛି, ମାତ୍ର ମାନବ ଜାତିର କରୋନା ଭାଇରସ୍ ବିରୋଧରେ ସଂଘର୍ଷ ଏବେ ମଧ୍ୟ ଜାରି ରହିଛି । କରୋନା ମହାମାରୀରେ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
ସେହିପରି କୋଭିଡ ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମାନବଜାତିର ସେବା କରିଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ହକଦାର । ଅନ୍ୟପକ୍ଷରେ ଦେଶର ଯବାନମାନେ ଅତ୍ୟନ୍ତ କଠିନ ପରିସ୍ଥିତି, ପ୍ରବଳ ଥଣ୍ଡା, ତତଲା ମରୁଭୂମିରେ ସେମାନେ ନିଜର ପରିବାରଠାରୁ ଦୂରରେ ରହି ଦେଶମାତୃକାର ସେବା କରୁଛନ୍ତି । ଆମର ସୈନ୍ୟ ଓ ସୁରକ୍ଷାବଳ ଦେଶର ଟେକ ରଖିପାରିଛନ୍ତି । ସେମାନଙ୍କ ଯୋଗୁଁ ଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି । ନିଜର ଏହି ଅଭିଭାଷଣରେ ରାଷ୍ଟ୍ରପତି ଗତ ଡିସେମ୍ବର ମାସରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱାତ, ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ପ୍ରାଣ ହରାଇଥଲେ । ଗତ ବର୍ଷ ଅଲିମ୍ପିକ୍ସରେ ଆମ କ୍ରୀଡ଼ାବିତମାନେ ଉତମ ପ୍ରଦର୍ଶନ କରି ଏକ ଛାପ ଛାଡ଼ିଥିଲେ । ଏହା ଦେଶର କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରୁଛି ।