କଶ୍ମୀର ମଧ୍ୟକୁ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ୧୩୫ ଆତଙ୍କବାଦୀ : ବିଏସଏଫ୍
ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମାର ଏଲଓସିରେ ପ୍ରାୟ ୧୩୫ ଜଣ ତାଲିମପ୍ରାପ୍ତ ଆତଙ୍କବାଦୀ ସୀମା ପାର ଲଂଚ ପ୍ୟାଡମାନଙ୍କରେ ଉପସ୍ଥିତ ଅଛନ୍ତି ଏବଂ ଭାରତରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି ବୋଲି ବିଏସଏଫ ଇନ୍ସପେକ୍ଟର ଜେନେରାଲ ରାଜା ବାବୁ ସିଂ ସୋମବାର କହିଛନ୍ତି ।
ବିଏସ୍ଏଫ୍ ଆଇଜି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ନିୟନ୍ତ୍ରଣ ରେଖା (ଏଲଓସି)ରେ ସାମଗ୍ରିକ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ପୂର୍ବ ବର୍ଷତୁଳନାରେ ୨୦୨୧ରେ ଅନୁପ୍ରବେଶ ସଂଖ୍ୟା କମ୍ ରହିଥିଲା । ଏଲଓସିରେ ସାମଗ୍ରିକ ଦୃଶ୍ୟ ଶାନ୍ତିପୂର୍ଣ୍ଣ ରହିଛି । ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର ହେବା ପରଠାରୁ କଶ୍ମୀର ସୀମାନ୍ତ ଏଲଓସିରେ ସାଧାରଣ ଶାନ୍ତି ଦେଖାଦେଇଛି ବୋଲି ସୀମା ସୁରକ୍ଷା ବାହିନୀ (ବିଏସଏଫ) ଅଧିକାରୀ ସାମ୍ବାଦିକମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି । ଅନୁପ୍ରବେଶ ସଂଖ୍ୟା ଉପରେ ବିବରଣୀ ଦେଇ ସେ କହିଥିଲେ ଯେ ୨୦୨୧ରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ୫୮ ଟି ପ୍ରୟାସ କରାଯାଇଥିଲା, ଯେଉଁଥିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ, ୨୧ ଜଣ ଫେରିି ଯାଇଥିଲେ ଏବଂ ଜଣେ ଆତ୍ମସମର୍ପଣ କରିଥିଲା । ଇନ୍?ସପେକ୍ଟର ଜେନେରାଲ (ଆଇଜି) କହିଛନ୍ତି, ୨୦୨୧ରେ ୩୧ ଜଣ, ୨୦୧୯ରେ ୧୩୦ ଏବଂ ୨୦୨୦ ରେ ୩୬ ଜଣ ଅନୁପ୍ରବେଶ କରିଥିବା ଖବର ଆସିଛି । ସେ କହିଛନ୍ତି ଯେ ୨୦୨୧ରେ ବିଏସଏଫ ସଫଳତାର ସହ ତିନିଟି ଏକେ-୪୭ ରାଇଫଲ, ଛଅଟି ନଅ ମିମି ପିସ୍ତଲ, ୧,୦୭୧ ଗୋଳାବାରୁଦ, ୨୦ଟି ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ଆଇଇଡି ଏବଂ ୧୭.୩ କିଲୋଗ୍ରାମ ହେରୋଇନ – ୮୮କୋଟି ଟଙ୍କା ମୂଲ୍ୟର – ଉଦ୍ଧାର କରିଛି ।