କୋହଲିଙ୍କୁ ବଡ଼ ଝଟକା! ଆଇସିସି ଛଡ଼ାଇ ନେଲା ୨ଟି ଫର୍ମାଟର ଅଧିନାୟକତ୍ୱ
ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ପାଇଁ ୨୦୨୧ ବର୍ଷ ଭଲ ରହି ନାହିଁ । ସେ ବ୍ୟାଟ୍ ସହିତ କିଛି ବିଶେଷ କରିପାରି ନଥିଲେ । ଏହି ବର୍ଷ ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୧ ର ସୁପର-୧୨ ରାଉଣ୍ଡରୁ ବାଦ ପଡିଥିଲା । ବିରାଟ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପରେ ଟି-୨୦ ଦଳର ଅଧିନାୟକତ୍ୱ ଛାଡିଥିଲେ । ଏହା ପରେ ବିସିସିଆଇ ତାଙ୍କ ଠାରୁ ଦିନିକିଆ ଦଳର ଅଧିନାୟକତ୍ୱ ଛଡ଼ାଇ ନେଇ ଥିଲା । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସେ ଟେଷ୍ଟ ଦଳର ଅଧିନାୟକତ୍ୱ ମଧ୍ୟ ଛାଡି ଦେଇଛନ୍ତି । ଅର୍ଥାତ୍ ଅଧିନାୟକ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି ।
୨୦୨୧ ବର୍ଷ ପାଇଁ ଆଇସିସି ଦ୍ୱାରା ବର୍ଷର ଶ୍ରେଷ୍ଠ ଟି-୨୦ ଟିମ୍, ଦିନିକିଆ ଟିମ୍ ଏବଂ ଟେଷ୍ଟ୍ ଟିମ୍ ଘୋଷଣା କରାଯାଇଛି । ଏହି ତିନି ଦଳରେ ବିରାଟ କୋହଲି ସ୍ଥାନ ପାଇନାହାଁନ୍ତି । ପାକିସ୍ତାନର ବାବର ଆଜାମ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ ଭାବେ ସ୍ଥାନ ପାଇଛନ୍ତି । ଏଥି ସହିତ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନଙ୍କୁ ଟେଷ୍ଟ ଦଳର କମାଣ୍ଡ ଦିଆଯାଇଛି । ଗତ ବର୍ଷ ନ୍ୟୁଜିଲାଣ୍ଡ ୱିଲିୟମସନଙ୍କ ଅଧିନାୟକତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ସିଜିନର ଟାଇଟଲ ଜିତିଥିଲା । ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା ।
୨୦୧୬ ରୁ ୨୦୧୯ ମଧ୍ୟରେ କ୍ରମାଗତ ୪ ବର୍ଷ ପାଇଁ ବିରାଟ କୋହଲି ଆଇସିସି ଦିନିକିଆ ଦଳର ଅଧିନାୟକ ଥିଲେ । କୋରୋନା ମହାମାରୀ କାରଣରୁ ୨୦୨୦ ରେ ଶ୍ରେଷ୍ଠ ଦଳ ଘୋଷଣା କରାଯାଇ ନାହିଁ । ଏହା ବ୍ୟତୀତ କୋହଲି ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ୩ ବର୍ଷ ପାଇଁ ଟେଷ୍ଟ ଦଳର ଅଧିନାୟକ ଥିଲେ । ଚଳିତ ବର୍ଷ ମଧ୍ୟ ସେ ଟେଷ୍ଟ ଦଳରେ ସ୍ଥାନ ପାଇପାରି ନାହାଁନ୍ତି । ଏଥି ସହିତ କୋହଲି ପ୍ରଥମ ଥର ପାଇଁ ଘୋଷିତ ଟି-୨୦ ଶ୍ରେଷ୍ଠ ଦଳରେ ସ୍ଥାନ ପାଇନାହାଁନ୍ତି ।
୨୦୨୧ ମସିହାରେ ବ୍ୟାଟ୍ ସହିତ ବିରାଟ କୋହଲି କିଛି ବିଶେଷ କରିପାରିନଥିଲେ । ସେ ହାରାହାରି ୨୮ ରେ ୧୧ ଟି ଟେଷ୍ଟର ୧୯ ଇନିଂସରେ ୫୩୬ ରନ୍ ସ୍କୋର କରିଥିଲେ । ଯେଉଁଥିରେ ମାତ୍ର ୪ଟି ପଚାଶ ସାମିଲ ଅଛି । ସେ ହାରାହାରି ୪୩ ରେ ୩ଟି ଦିନିକିଆରେ ୧୨୯ ରନ୍ ସ୍କୋର କରିଥିଲେ । ଯେଉଁଥିରେ ୨ଟି ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପକ୍ଷରେ, ୧୦ ଟି-ଟ୍ୱେଣ୍ଟିର ୮ ଇନିଂସରେ ସେ ହାରାହାରି ୭୫ ରେ ୨୯୯ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ୪ ଟି ଅର୍ଦ୍ଧଶତକ ରହିଛି । ଏଥି ସହିତ ପାକିସ୍ତାନର ମହମ୍ମଦ ରିଜୱାନ ଟି-୨୦ ରେ ସର୍ବାଧିକ ୧୩୨୬ ରନ ସ୍କୋର କରିଛନ୍ତି । ୨୦୨୨ ମସିହାରେ ମଧ୍ୟ ଭାରତୀୟ ଦଳ ଭଲ ଆରମ୍ଭ କରିବାରେ ସକ୍ଷମ ହୋଇ ନାହିଁ । ଟିମ୍ ଇଣ୍ଡିଆ ତିନୋଟି ଆନ୍ତର୍ଜାତୀୟ ମ୍ୟାଚ୍ ବର୍ତ୍ତମାନ ସୁଦ୍ଧା ହାରି ସାରିଛି । ଏଥିରେ ୨ ଟି ଟେଷ୍ଟ ଏବଂ ଗୋଟିଏ ଦିନିକିଆ ମ୍ୟାଚ୍ ସାମିଲ ରହିଛି ।