୧୫-୧୮ ବର୍ଷ ବୟସ୍କଙ୍କୁ ଟିକାକରଣ : ଦିନକରେ ପ୍ରଥମ ଡୋଜ୍ ନେଲେ ୪୦ ଲକ୍ଷ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ ଦେଶବ୍ୟାପୀ ୧୫ରୁ ୧୮ ବର୍ଷ ବୟସର କିଶୋର କିଶୋରୀଙ୍କୁ କୋଭିଡ୍ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ଅନୁମତି ମିଳିଛି। ପ୍ରଥମ ଦିନରେ ଦେଶରେ ଏହି ବୟସ ବର୍ଗର ପ୍ରାୟ ୪୦ ଲକ୍ଷ ପିଲାଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ଚଳିତବର୍ଷ ଜାନୁଆରୀ ପହିଲାରୁ ପିଲାମାନେ କୋ-ୱିନ୍ ଆପ୍ରେ ନିଜର ନାମ ପଞ୍ଜୀକୃତ କରିଥିଲେ।
ଏଥିସହିତ ଦେଶରେ କୋଭିଡ୍ ଟିକାକରଣ ପ୍ରକ୍ରିୟା ନୂତନ ଶିଖରରେ ପହଞ୍ଚିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କେନ୍ଦ୍ର ସରକାର ସୋମବାର କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଅନୁଶାସନ ସଚିବ ପାହ୍ୟା ତଳକୁ କାର୍ଯ୍ୟରତ କର୍ମଚାରଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କୁ ‘ୱାର୍କ ଫ୍ରମ୍ ହୋମ୍’ ନିର୍ଦ୍ଦେଶ ଦିଆଯାଇଛି। ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମଧ୍ୟ ଏହି ଫର୍ମାଟରେ କାର୍ଯ୍ୟ କରିବାକୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରାଯାଇଛି। କାର୍ଯ୍ୟାଳୟରେ ଭିଡ ନଜମାଇବାକୁ କର୍ମଚାରୀଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇଛି। ଜାନୁଆରୀ ୩୧ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ ମଧ୍ୟ ବାତିଲ କରାଯାଇଛି।