ବାଲେଶ୍ୱରରେ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ବୟସ ପିଲାଙ୍କ ଟିକାକରଣ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଆରମ୍ଭ ହୋଇଛି ୧୫ ରୁ ୧୮ ବର୍ଷ ବୟସ କିଶୋର, କିଶୋରୀଙ୍କୁ କୋଭିଡ୍ ଟିକାଦାନ । ସୋମବାର ଜିଲାର ୬୭ଟି କେନ୍ଦ୍ରରେ ଏହି ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜୀକରଣ ମାଧ୍ୟମରେ କିଶୋର କିଶୋରୀମାନେ କୋଭାକ୍ସିନ ଟିକାର ପ୍ରଥମ ପାନ ଗ୍ରହଣ କରିଥିଲେ । ଜିଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକାକରଣ ଚାଲିଛି । ଜିଲାର ପ୍ରାୟ ୧ଲକ୍ଷ ୩୦ହଜାର କିଶୋର, କିଶୋରୀଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ତିନି ଦିନରେ (ଜାନୁଆରୀ ୩, ୪, ୫) ୩୬ହଜାର ୧୬୦ ଟିକା ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୮ଦିନ ପରେ ପିଲାମାନଙ୍କୁ ଟିକାର ଦ୍ୱିତୀୟ ପାନ ପ୍ରଦାନ କରାଯିବ । ସ୍କୁଲ, କଲେଜ ପରିଚୟପତ୍ର ସମେତ ଆଧାରକାର୍ଡ଼ ମାଧ୍ୟମରେ ପିଲାମାନେ ଟିକାକରଣ ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ । ବାଲେଶ୍ୱର ସହରର ସହଦେବଖୁଣ୍ଟା, ଶୋଭାରାମପୁର ଏବଂ ସୁନହଟ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଟିକାଦାନ ବ୍ୟବସ୍ଥା କରାଯାଇଛି ।
ସୋମବାର ସକାଳ ୮ଘଟିକାରୁ ଟିକାଦାନ ଆରମ୍ଭ ହୋଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ କିଶୋରୀ, କିଶୋର ଏବଂ ଅଭିଭାବକମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଟିକାକରଣ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । କୋଭିଡ୍ ସଂକ୍ରମଣ ପ୍ରତିହତ ପାଇଁ ସମସ୍ତେ କୋଭିଡ୍ ଟିକା ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ଏଡିଏମଓ ଡା. ଶଶାଙ୍କ ଶେଖର ଚୌଧୁରୀ, ଡିପିଏମ ଅନୀଲ ମହାନ୍ତି, ଡିଏମଆରସିଏଚ୍ ଏଲିନା ସାମଲଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାରି ରହିଛି ।