ପଂଚାୟତ ନିର୍ବାଚନ: ସତ୍ୟପାଠରେ ତଥ୍ୟ ଦେବେ ପ୍ରାର୍ଥୀ, ଭୁଲ୍ ଥିଲେ ମିଳିବ ଦଣ୍ଡ
ଭୁବନେଶ୍ୱର : ଆଗକୁ ପଂଚାୟତ ନିର୍ବାଚନ । ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ ବ୍ୟବସ୍ଥା । ଏ ସମ୍ପର୍କୀତ ଗେଜେଟ ପ୍ରକାଶିତ ହୋଇଛି । ଫଳରେ ତୃଣମୂଳ ସ୍ତରରେ ମଇଦାନକୁ ଓହ୍ଲାଇବାକୁ ଥିବା ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟପାଠ ଜରିଆରେ ନିଜ ସମ୍ପର୍କୀତ ତଥ୍ୟ ଦେବେ । ପରବର୍ତୀ ସମୟରେ ଏହା ଭୁଲ୍ ପ୍ରମାଣିତ ହେଲେ ସେମାନଙ୍କ ବିରୋଧ ରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଶନିବାର ଏହି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ ।
ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏଣିକି ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ କଡ଼ାକଡ଼ି ଲାଗୁ ହେବ । ସେମାନେ ନିଜ ନାଁରେ ଥିବା ଅପରାଧିକ ମାମଲା, ସମ୍ପତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଏହି ତଥ୍ୟ ଦାଖଲ କରିବେ । ଏହାକୁ ସାର୍ବଜନୀନ କରାଯାଇ ଓ ସମସ୍ତ ତଥ୍ୟ ୱେବସାଇଟ୍ରେ ଉପଲବ୍ଧ ହେବ । ପରବର୍ତୀ ସମୟରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ଭୋଗିବାକୁ ପଡ଼ିବ । ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଓଡ଼ିଶା ପଂଚାୟତ ଆଇନର ସଂଶୋଧନ କରାଯିବ । ସୂଚନାଯୋଗ୍ୟ, ପୂର୍ବରୁ ଏହି ନିୟମ ଲୋକସଭା ଓ ବିଧାନସଭା ନିର୍ବାଚନ ବେଳେ କଡ଼ାକଡ଼ି ଲାଗୁ କରାଯାଉଥିଲା । ଫଳରେ ସାଂସଦ ତଥା ବିଧାୟକ ପ୍ରାର୍ଥୀ ନିଜ ସମ୍ପର୍କତ ସମସ୍ତ ତଥ୍ୟ ଦାଖଲ କରୁଥିଲେ । ଏବେ ଏହାକୁ ତୃଣମୂଳ ସ୍ତରରେ ଲାଗୁ କରାଯାଇଛି । ଏହାଦ୍ୱାରା ପଂଚାୟତ ନିର୍ବାଚନରେ କେତେ ସ୍ୱଚ୍ଛତା ଆସିବ ତାହା ଭବିଷ୍ୟତରେ ହିଁ ଜଣାପଡ଼ିବ ।