ମାଟ୍ରିକ୍ ପିଲାଙ୍କ ସମେଟିଭ୍ ଆସେସମେଂଟ ନିଶ୍ଚିତ ହେବ : ମନ୍ତ୍ରୀ
ଭୁବନେଶ୍ୱର : ସ୍କୁଲ ପାଇଁ ଆଲର୍ଟ ଜାରି ଅଛି । ସର୍ଭିଲାନ୍ସ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି । ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଅଛି, ତାକୁ କଡ଼ାକଡ଼ି ପାଳନ କରାଯାଉଛି । ସରକାରୀ ବିଦ୍ୟାଳୟରେ କୋଭିଡ୍ ସମସ୍ୟା ସେତେ ଆସିନି । ସ୍ୱାସ୍ଥ୍ୟ ବିଭାଗ ନିୟମାବଳୀ ଅନୁସାରେ କାର୍ଯ୍ୟକ୍ରମ ହେଉଛି । ଶୁକ୍ରବାର ଏସଆରସି ଯେଉଁ ଗାଇଡ଼ଲାଇନ କରିଛନ୍ତି, ତାକୁ ସମସ୍ତେ ମାନିବେ । ପ୍ରଥମରୁ ପଂଚମ ଖୋଲିବା ନେଇ ଏ ଯାଏଁ ନିଷ୍ପତି ହୋଇନି ।
ଜାନୁଆରୀ ୫ ତାରିଖରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଂଟ ନିଶ୍ଚିତ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ସମେଟିଭ୍ ଆସେସମେଂଟ ବହୁତ ଜରୁରୀ । କୌଣସି କାରଣରୁ ଯଦି ଯଦି ଗତ ବର୍ଷ ଭଳି ବୋର୍ଡ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ସମେଟିଭ୍ ଆସେସମେଂଟ କାମରେ ଲାଗିବ । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଏବେ ଯେଉଁ ପର୍ଯ୍ୟନ୍ତ ପିଲାଙ୍କ କୋର୍ସ ଶେଷ ହୋଇଛି, ତା’ରି ଆଧାରରେ ସମେଟିଭ୍ ଆସେସମେଂଟ କରାଯିବ । ସେହିଭଳି ଏବେ କରୋନା ଭାଇରସ୍ର ଓମିକ୍ରନ ଭ୍ୟାରିଆଂଟ ମାଡ଼ି ଚାଲିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍କୁଲଗୁଡ଼ିକରେ କଟକଣା ଭିତରେ ପାଠପଢ଼ା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ସ୍କୁଲଗୁଡ଼ିକୁ ସତର୍କ କରାଯାଇଛି । ପୁରୁଣା ଏସ୍ଓପିକୁ ପାଳନ କରାଯାଉଛି । ନୋଡାଲ ଅଫିସର ମାନେ ଯୋଗାଯୋଗରେ ଅଛନ୍ତି । ଡିଇଓମାନଙ୍କ ସହିତ ନିୟମିତ ଭାବେ ବୈଠକ ହେଉଛି । ଏପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସେମିତି କୌଣସି ସମସ୍ୟା ଦେଖିବାକୁ ମିଳିନି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ ସମସ୍ତ ନିୟମ ପାଳନ କରାଯାଉଛି । ଏବେ ସ୍ୱାସ୍ଥ୍ୟ ବିଭାଗର କିଛି ନୂଆ ଗାଇଡ୍ଲାଇନ୍ ଆସିନାହିଁ । ସେହିପରି ପ୍ରଥମରୁ ପଂଚମ ଶ୍ରେଣୀ ଖୋଲିବା ସଂପର୍କରେ କିଛି ନିଷ୍ପତି ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।