ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
- ୯୬ ଲକ୍ଷ ପରିବାର ଉପକାର ପାଇବେ
- ଓମିକ୍ରନ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ
- ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ôଥକ ଦୂରାବସ୍ଥାକୁ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି । ବିଜୁ ସ୍ୱାସ୍ଥ କଲ୍ୟାଣ କାର୍ଡ ନ ଥିବା କ୍ଷେତ୍ରରେ, ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ସହାୟତା ପାଇପାରିବେ । ସାରା ରାଜ୍ୟର ୯୬ ଲକ୍ଷ ପରିବାର ଏହି ସହାୟତା ପାଇବେ । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୯୬୦ କୋଟି ଟଙ୍କା ଖର୍ଚ୍ଚ କରିବେ । ସାତ ଦିନ ମଧ୍ୟରେ ଏହି ସହାୟତା ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀ ଆମ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା । ଏହା ସେମାନଙ୍କ ଅର୍ôଥକ ଓ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ଗରିବ ଲୋକମାନେ ଏଥିରେ ବହୁତ କ୍ଷତି ସହିଛନ୍ତି । କୋଭିଡର ପ୍ରଭାବ ଏପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ । ତେଣୁ ସେମାନଙ୍କର କଷ୍ଟକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ସହାୟତା ଯୋଗାଇ ଦେଉଛନ୍ତି । ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡିଶା ସଫଳ ଭାବରେ ମୁକାବିଲା କରିପାରିଛି । ବର୍ତ୍ତମାନ କୋଭିଡର ନୂଆ ଭାରିଏଂଟଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି । ବିଏସକେୱାଇ ଯୋଜନାର ଉଦାହରଣ ଦେଇ ସେ କହିଲେ ଯେ ଦେଶର ଅନ୍ୟ କୌଣସି ରାଜ୍ୟରେ ଜନସାଧାରଣଙ୍କୁ ଏତେ ବ୍ୟାପକ ଭାବରେ ସ୍ୱାସ୍ଥ୍ୟସେବା ଯୋଜନାରେ ସାମିଲ କରାଯାଇପାରି ନାହିଁ । ପ୍ରଶାସନରେ ୫-ଟିର ପ୍ରୟୋଗ ଯୋଗୁ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରୁଛି ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ସ୍ୱାଗତ ଭାଷଣ ଦେଇଥିଲେ ଓ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଓ ବିଧାୟକଗଣ, ୩୧୪ ବ୍ଲକ୍ର ହିତାଧିକାରୀ ମାନଙ୍କ ସହ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଖାଦ୍ୟ ଉତ୍ପାଦନ କମିଶନର ଶ୍ରୀ ଆର୍.କେ. ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।