ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ବୈଠକ : ମହିଳା ଓ ଶିଶୁ ବିରୋଧୀ ହିଂସାରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟର ଆଉ ୫ ଜିଲ୍ଲା ମାଓବାଦ ମୁକ୍ତ ହୋଇଛି । ରାଜ୍ୟର ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଓ ସମ୍ବଲପୁର ମାଓ ମୁକ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରପକ୍ଷରେ ନିଶା କାରବାର ବିରୋଧୀ ଆକ୍ସନ ପାଇଁ ପୋଲିସକୁ ବଧାଇ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୋଷୀ ସାବ୍ୟସ୍ତ ହାର ବଢ଼ାଇବାକୁ ସବୁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ଆହ୍ୱାନ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ତଦନ୍ତରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପାଇଁ ପରାମର୍ଶ ଦେବାସହ ମହିଳା ଓ ଶିଶୁ ବିରୋଧୀ ହିଂସାରେ ତୁରନ୍ତ ପଦକ୍ଷେପ ନେବାକୁ ଆଇପିଏସ ସମ୍ମିଳନୀର ଉଦଯାପନୀ ସମାରୋହରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୬୩ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ କନ୍ଫରେନ୍ସିଂ-୨୦୨୧ର ଉଦ୍ଯାପନୀ ଅବସରରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇ ବର୍ଷ ୨୦୨୧ରେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟ ଫଳରେ ବିଗତ ୫ବର୍ଷ ମଧ୍ୟରେ ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଏବଂ ସମ୍ୱଲପୁର ଜିଲ୍ଲାକୁ ମାଓ ମୁକ୍ତ ହୋଇପାରିଥିବା କହିଛନ୍ତି ।
‘ମୋ- ସରକାର’ ଅଧିନରେ ଓଡ଼ିଶା ପୋଲିସ ସମ୍ପର୍କରେ ଭଲ ଫିଡ୍ ବ୍ୟାକ୍ ପ୍ରାପ୍ତ ହୋଇଛି । ସେହିଭଳି ୫-ଟି ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଯେଉଁଥିରେ ପାସପୋର୍ଟ ଭ୍ୟାରିଫିକେସନକୁ ତ୍ୱରାନ୍ୱିତ କରିବା, ପୋଲିସ କର୍ମଚାରୀଙ୍କ ସମୟାନୁଯାୟୀ ପଦୋନ୍ନତି, ଚୋରି ମାମଳାରେ ଇ-ଏଫଆଇଆର ରହିଥିଲା । ଏଥିସହିତ ଆଗକୁ ମଧ୍ୟ ଆହୁରି ଅନେକ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ନେତୃତ୍ୱରେ ରାଜ୍ୟରେ ଜାରି ରହିଥିବା ବ୍ରାଉନସୁଗାର ବିରୋଧୀ ଅଭିଯାନର ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିସହିତ ବଜ୍ରକାପ୍ତା, ବାଘ ଚମଡ଼ା ଭଳି ବନ୍ୟଜନ୍ତୁଙ୍କୁ ନେଇ ଚାଲିଥିବା କାରବାରର ପର୍ଦ୍ଦାଫାସ ନେଇ ମଧ୍ୟ ଏସ୍ଟିଏଫ୍ କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ‘ୟାସ୍’ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ୍ ସାମଗ୍ରୀ ବଂଟନ ନେଇ ଓଡ୍ରାଫ୍ ଏବଂ ହୋମଗାର୍ଡ କର୍ମଚାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ କାଳରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ସମୟରେ ୬୧ ଜଣ ପୋଲିସ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଜୀବନର ବଳିଦାନକୁ ଦେବାକୁ ପଡ଼ିଥିଲା । ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବାର ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।