ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ
ଭୁବନେଶ୍ୱର : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜଣେ ପ୍ରଜାବତ୍ସଳ, ପରୋପକାରୀ ଓ ଦେଶପ୍ରେମୀ ଶାସକ ଭାବେ ଲୋକପ୍ରିୟ ଥିଲେ । ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ତାଙ୍କର ପ୍ରଭାବ ଓ ଅବଦାନ ଥିଲା ଅନନ୍ୟ ବୋଲି ଶୁକ୍ରବାର ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ସଭା ପ୍ରାରମ୍ଭରେ ଅତିଥିମାନେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବାର୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ଭିତିଭୂମିର ବିକାଶ କରି ପ୍ରଗତିଧାରାକୁ ଗତିଶୀଳ କରିଥିଲେ । ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଜଣେ ସଚ୍ଚୋଟ ଦେଶପ୍ରେମୀ, ପ୍ରଜାବତ୍ସଳ, ଆଦର୍ଶ ଓ ମାତୃଭୂମିର ସେବକ ଭାବେ ଅଭିିହିତ କରିଥିଲେ । ଶାସନ ବ୍ୟବସ୍ଥା ଓ ଲୋକକଲ୍ୟାଣ କାର୍ଯ୍ୟକ୍ରମର ସଫଳ ରୂପାୟନରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା । ମହାରାଜାଙ୍କ ପ୍ରତ୍ୟେକ କାର୍ଯ୍ୟରୁ ତାଙ୍କ ଦୂରଦର୍ଶୀ ଚିନ୍ତାଧାରାର ପରିଚୟ ମିଳେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍ ମହାନ୍ତି କହିଥିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଓଡ଼ିଶାର ଗର୍ବ ଏବଂ ଗୌରବ ଥିଲେ । ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରି ସେ ରାଜ୍ୟର ସାଧାରଣ ନାଗରିକର ଜୀବନଧାରା ର ମାନକୁ ଉନ୍ନତ କରିଥିଲେ ।
ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ଗବେଷକ ଡ. ଗିରୀଶ ପ୍ରସାଦ ସ୍ୱାଇଁ କହିଥିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ରାଜତ୍ୱକାଳରେ କୃଷି, ଶିକ୍ଷା, ଶାସନ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ହୋଇଥିଲା ଏବଂ ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ବିକାଶ ପାଇଁ ସେ ବହୁ କାର୍ଯ୍ୟ କରିଥିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ଉଦ୍ୟମ ସ୍ମରଣୀୟ । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକଇନ୍ଦ୍ରମଣି ତ୍ରିପାଠୀ କହିଥିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜଣେ ଜାତୀୟବାଦୀ ଜନନାୟକ ଥିଲେ ଏବଂ ତାଙ୍କ ଶାସନ କାଳରେ ଶିକ୍ଷା, କୃଷି, ପ୍ରଶାସନ ଆଦି କ୍ଷେତ୍ରରେ ବହୁ ପରିବର୍ତନ ଆଣିପାରିଥିଲେ । ମୟୂରଭଞ୍ଜ ସାଂସ୍କୃତିକ ସଂସଦ ତରଫରୁ ବିଶିଷ୍ଟ ଶିକ୍ଷାବିତ୍ ସନତ କୁମାର ଦାସପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ମୟୂରଭଞ୍ଜ ସାଂସ୍କୃତିକ ସଂସଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ସାନ୍ତାଳୀ ନୃତ୍ୟ ପରିବେଷଣ କରାଯାଇଥିଲା । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀଙ୍କ ସହ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।