ଆଜି ରାଜକୀୟ ସମ୍ମାନ ସହ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ହେବ ଶେଷକୃତ୍ୟ
ଭୋପାଳ : ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଗ୍ରୁପ କ୍ୟାପଟେନ ବରୁଣି ସିଂହ ବୁଧବାର ଆଖି ବୁଜିଛନ୍ତି । ଅନେକ ଦିନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଚିକିତ୍ସା ରତ ଥିବାବେଳେ ସେ ପ୍ରାଣ ତ୍ୟାଗ କରିଥିଲେ । ଗତ ଗୁରୁବାର ତାଙ୍କ ପାର୍ଥିବ ଶରୀର ବେଙ୍ଗାଲୁରୁରୁ ଭୋପାଳ ନିଆଯାଇଛି । ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ। ରାଜକୀୟ ସମ୍ମାନର ସହ ଶହୀଦଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ଣ କରାଯିବ ନେଇ ସୂଚନା ମିଳିଛି।
ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଅମର ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ସମ୍ମାନ ନିଧି ଦିଆଯିବ । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ମାତାର ବୀର ପୁତ୍ର ସୌର୍ଯ୍ୟର ପ୍ରତୀକ ବୀର ଯୋଦ୍ଧା ବରୁଣ ସିଂହ ଜୀଙ୍କ ଚରଣରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଅଦ୍ଭୁତ ଓ ଅଦ୍ୱିତୀୟ ଯୋଦ୍ଧା ଥିଲେ । ସେ ଆଗରୁ ମଧ୍ୟ ମୃତ୍ୟୁକୁ ମାତ ଦେଇଥିଲେ । କିନ୍ତୁ ଏବେ ସେ ଆମ ଗହଣରେ ନାହାଁନ୍ତି । ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ଓ ସୈନ୍ୟ ସମ୍ମାନ ସହ ହେବ । ତାଙ୍କ ପରିବାର ପୁରା ଦେଶର, ପୁରା ରାଜ୍ୟର ପରିବାର । ପ୍ରତ୍ୟେକ ଭାରତବାସୀ ତାଙ୍କ ପରିବାର ସହ ଛିଡା ହୋଇଛନ୍ତି । ବୀର ଯୋଦ୍ଧାଙ୍କୁ କେବଳ ସମ୍ମାନ ସହ ବିଦା କରାଯିବନି ବରଂ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ପରିବାର ସହ ଆଲୋଚନା କରି ପ୍ରତିମା ସ୍ଥାପନା ପାଇଁ ବିଚାର କରାଯିବ ।
ଗତ ଗୁରୁବାର ବେଙ୍ଗାଲୁରୁରେ ଚିକିତ୍ସାଧୀନ ଥିବା ହସ୍ପିଟାଲରେ ତାଙ୍କ ପାର୍ଥିବ ଶରୀରକୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ ଆଜି ଭୋପାଳ ଅଣାଯାଇଥିଲା । ପାର୍ଥିବ ଶରୀର ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନା ଅଧିକାରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ବରୁଣଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ତାଙ୍କ ନାମରେ କୌଣସି ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ କରିବା ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସରକାର ବିଚାର କରୁଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରୁଣଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁରର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର Mi-17 V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦେଶର ପ୍ରଥମ ସିଡିଏସ ତାଙ୍କ ପତ୍ନୀଙ୍କୁ ମିଶାଇ ୧୪ ଜଣ ଉପସ୍ଥିତ ଥିଲେ । ଦୁର୍ଘଟଣା ବହୁତ ଭୟଙ୍କର ଥିଲା । ୧୪ ଜଣରୁ ସମସ୍ତ ୧୩ ଜଣଙ୍କର ସେହି ଦିନ ହିଁ ଦେହାନ୍ତ ହୋଇଥିଲା । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂହ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଗୁରୁତର ଅବସ୍ଥାରେ ସେ ବେଙ୍ଗାଲୁରୁରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ଡାକ୍ତରୀ ଟିମ । ହେଲେ ବିଧିର ଲେଖା କିଛି ଅଲଗା ଥିଲା । ଦୁର୍ଘଟଣାର ଠିକ ୮ ଦିନ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ କ୍ୟାପଟେନ ବରୁଣ । ମାତ୍ର ୪୨ ବର୍ଷରେ ଦୁନିଆ ଛାଡି ଚାଲିଯାଇଛନ୍ତି କ୍ୟାପଟେନ ।