ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର
ଭୁବନେଶ୍ୱର : ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ । ରାଜ୍ୟର ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ଓଡିଶାକୁ ନୀତି ଆୟୋଗ ଉପାଧ୍ୟକ୍ଷ ପ୍ରଶଂସା କରିଛନ୍ତି । ଓଡିଶାରେ ମୁଣ୍ଡ ପିଛା ଆୟ ବଢୁଛି। ୨୦୧୧ରୁ ୨୦୨୦ମଧ୍ୟରେ ଓଡିଶାର ମୁଣ୍ଡ ପିଛା ଆୟ ଅଧିକ ବେଗରେ ବଢୁଛି । ଖଣିଜ ରାଶି ବଢାଇବା ପ୍ରସଙ୍ଗରେ ରାଜ୍ୟର ଦାବି ସମ୍ପର୍କିତ ଆଲୋଚନା ହେବ ।
ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ଏହାସହ ପର୍ଯ୍ୟଟନ, କୃଷି ସମ୍ପର୍କିତ ସମସ୍ୟା ଓ ବିକାଶ ଦିଗରେ ଆଲୋଚନା ହେବ । ରାଜ୍ୟଗୁଡିକର ସମସ୍ୟା କଣ ଅଛି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଦେଶରେ ରାଜ୍ୟଗୁଡିକର ସ୍ବାର୍ଥ ସମ୍ବଳିତ ସମସ୍ୟାର ସମାଧାନ ସହ ବିକାଶର ବ୍ଲୁପ୍ରିଣ୍ଟ ନେଇ ଆଲୋଚନା ହୁଏ ମହତ ଉଦ୍ଦେଶ୍ୟ ନେଇ ନୀତି ଆୟୋଗ କାର୍ଯ୍ୟ କରୁଛି ବୋଲି ରାଜୀବ କୁମାର କହିଛନ୍ତି । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ବାଦ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ । ଆଜି ସନ୍ଧ୍ୟାରେ ପୁରୀ ଯିବେ ରାଜୀବ କୁମାର । ଏହା ସହିତ ରହଣୀ ସମୟରେ ସେ ଲିଙ୍ଗରାଜ, କୋଣାର୍କ, ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି ।