ଜାନୁୟାରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ବନ୍ଦ
ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଗୁରୁବାର ରୋକ ଲଗାଇ ଦିଆଯାଇଛି । ଏହି କଟକଣା ଜାନୁଆରୀ ୩୧ ଯାଏ ବଳବତର ରହିବ । ଅର୍ଥାତ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ । ତେବେ ବାୟୋବବଲ୍ସ ଚୁକ୍ତି ଅନୁସାରେ ବର୍ତମାନ ଯେଉଁଭଳି ବିଦେଶକୁ ବିମାନ ଉଡ଼ାଣ କରୁଛି ଓ ସେଠାରୁ ଆସୁଛି, ତାହା ଜାରି ରହିବ । ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଉପରେ ଲାଗୁ ହେଉଥିବା କଟକଣା ସମ୍ପର୍କରେ ଡିଜିସିଏ କହିଛି ଯେ କାର୍ଗୋ ଓ ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ । ସେହିପ ରି ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଛି ।
ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଂଟ ଏବେ ୫୭ରୁ ଅଧିକ ଦେଶକୁ ବ୍ୟାପିଲାଣି । ଭାରତରେ ମଧ୍ୟ ଏହି ଭାରିଏଂଟ ଠାବ ହୋଇଛି । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି । ଭାରତ ସରକାର ମଧ୍ୟ କଟକଣା ଲଗାଇବାରେ ବିଳମ୍ବ କରିନାହାନ୍ତି । ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସଂକ୍ରମଣ ପ୍ରବଳ ଦେଶ ବା ରିସ୍କ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କର କରୋନା ଟେଷ୍ଟ ବିମାନବନ୍ଦରରେ କରାଯାଉଛି । ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଂଟିନରେ ରଖା ଯାଉଛି ।
ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ତେବେ ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗା ଯାଇଛି ।