ରାଜ୍ୟରେ କରୋନା ଟେଷ୍ଟିଂ କମିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତାଗିଦ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ଟେଷ୍ଟିଂ କମିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତାଗିଦ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ତାଗିଦ ସହ ଉଦବେଗ ପ୍ରକାଶ କଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ନିଜ ଚିଠି ରେ ଦର୍ଶାଇଛନ୍ତି ଗତ ମାସ ୨୬ ତାରିଖ ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ଲକ୍ଷ ୧ହଜାରରୁ ଅଧିକ ଟେଷ୍ଟ ହେଉଥିଲେ । କିନ୍ତୁ ଚଳିତ ମାସରେ ଏହି ସଂଖ୍ୟା କମି ଯାଇଛି । ସେହିପରି ଗତ ସପ୍ତାହରେ ରାଜ୍ୟରେ ୩ଲକ୍ଷ ୮୮ହଜାର ୭୮୮ ସାମ୍ପଲ ଟେଷ୍ଟ ହୋଇଛି । ଏହାରି ଭିତରେ ରାଜ୍ୟରେ କୋଭିଡ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି ।
ରାଜ୍ୟର ୬ଟି ଜିଲା ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ନଭେମ୍ବର ୨୦ରୁ ନଭେମ୍ବର ୨୬ ମଧ୍ୟରେ ମାତ୍ର ୯ ଜଣ ସଂକ୍ରମିତ ହୋଇଥିବା ବେଳେ, ୨୭ ନଭେମ୍ବରରୁ ୩ ଡିସେମ୍ବର ମଧ୍ୟରେ ସଂକ୍ରମିତ ସଂଖ୍ୟା ୬୯ ରେ ପହଞ୍ଚିଛି । ଯାହା ୬୬୬ ପ୍ରତିଶତ ଅଧିକ । କନ୍ଧମାଳ ଜିଲ୍ଲାରେ ନଭେମ୍ବର ୨୦ ରୁ ନଭେମ୍ବର ୨୬ ମଧ୍ୟରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୨୭ ନଭେମ୍ବରରୁ ୩ ଡିସେମ୍ବର ମଧ୍ୟରେ ଏହା ୭ ରେ ପହଞ୍ଚିଛି । ଯାହା ୨୫୦ ପ୍ରତିଶତ ଅଧିକ । ଏହାବାଦ ନଭେମ୍ବର ୨୦ ରୁ ନଭେମ୍ବର ୨୬ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ, ୨୭ ନଭେମ୍ବରରୁ ୩ ଡିସେମ୍ବର ମଧ୍ୟରେ ଏହି ସଂଖ୍ୟା ୫ ରେ ପହଞ୍ଚିଛି ।
ସେହିପରି ନଭେମ୍ବର ୨୦ ରୁ ନଭେମ୍ବର ୨୬ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ନଭେମ୍ବରରୁ ୩ଡିସେମ୍ବର ମଧ୍ୟରେ ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ସେହିଭଳି ନଭେମ୍ବର ୨୦ରୁ ନଭେମ୍ବର ୨୬ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ କିନ୍ତୁ ୨୭ ନଭେମ୍ବରରୁ ୩ ଡିସେମ୍ବର ମଧ୍ୟରେ ଏହି ସଂଖ୍ୟା ୩୯ରେ ପହଞ୍ଚିଛି ।
ଅନ୍ୟପଟ ପଶ୍ଚିମ ଓଡିଶାର ଅନ୍ୟତମ ଜିଲ୍ଲା ବଲାଙ୍ଗୀରେ ମଧ୍ୟ କୋଭିଡ ଧୀରେ ଧୀରେ ବଢୁଛି । ଜିଲ୍ଲାରେ ନଭେମ୍ବର ୨୦ରୁ ନଭେମ୍ବର ୨୬ ମଧ୍ୟରେ ୮ଜଣ ସଂକ୍ରମିତ ଥିବା ବେଳେ ୨୭ ନଭେମ୍ବରରୁ ୩ ଡିସେମ୍ବର ମଧ୍ୟରେ ଏହା ୧୪କୁ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ତଥ୍ୟ ସହ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି । ତେଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଟେଷ୍ଟ, ଟ୍ରାକଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦେଇଛନ୍ତି । ଏହା ସହ ସମସ୍ତ କୋଭିଡ ନିୟମାବଳୀକୁ ରାଜ୍ୟରେ କଡା କଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ସମସ୍ତ ସହଯୋଗ ଯୋଗାଇବା ଜାରି ରଖିବ ବୋଲି କହିଛନ୍ତି । ଏହାବାଦ ବର୍ତ୍ତମାନର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ମଧ୍ୟ ସତର୍କ କରାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।