ରାଜ୍ୟରେ ଭିକାରୀ ତାଲିକା ଦେଲେ ସରକାର : ୬୯୭୦ ଚିହ୍ନଟ, କଟକରେ ସର୍ବାଧିକ
ଭୁବନେଶ୍ୱର : ରାଜ୍ୟରେ ଭିକାରୀ ତାଲିକା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯୭୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ତେବେ କଟରେ ସର୍ବାଧିକ ଭିକାରୀ ରହିଥିବା ଜଣାପଡିଛି ।
ରାଜ୍ୟରେ କେତେ ଅଛନ୍ତି ଭିକାରୀ ? କେତେ ପୁରୁଷ କେତେ ମହିଳା ? ଏହାସହ ଶିଶୁ ଭିକାରୀ ସଂଖ୍ୟା କେତେ ? କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ? ଆଜି ବିଧାନସଭାରେ ଏହି ପ୍ରଶ୍ନ ପଚାରିଥିଲେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ । ଉତ୍ତରରେ ଭିନ୍ନକ୍ଷମ ସାମାଜିକ କଲ୍ୟାଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ହଜାର ୯୭୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ ୪ ହଜାର ୧୨୮ ପୁରୁଷ ଭିକାରୀ ଥିବାବେଳେ ୨ ହଜାର ୮୪୨ ମହିଳା ଭିକାରୀ ଅଛନ୍ତି । ଏହାସହ କଟକରେ ସର୍ବାଧିକ ୧ ହଜାର ୬୦ ଜଣ ଭିକାରୀ ଅଛନ୍ତି । ବରଗଡ ଜିଲ୍ଲାରେ ୫୯୫ ଜଣ ଭିକାରୀ ଅଛନ୍ତି । ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଯେଉଁଠାରେ ଅଛନ୍ତି ୫୪୫ ଜଣ ଭିକାରୀ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲାରେ ୪୧୮ ଜଣ, ପୁରୀରେ ୩୫୦ ଜଣ, ବଲାଙ୍ଗିର ୫୦୨ ଜଣ,ସୁନ୍ଦରଗଡରେ ୪୪୭ ଜଣ, ନୂଆପଡାରେ ୩୫୪ ଜଣ, ସମ୍ବଲପୁରରେ ୪୪ ଜଣ, କଳାହାଣ୍ଡିରେ ୩୬୩ ଜଣ, ଦେବଗଡ ଜିଲାରେ ୮ ଜଣ, କେନ୍ଦ୍ରାପଡା ଜିଲାରେ ୨୨ ଜଣ ଆଉ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୫ ଜଣ ଭିକାରୀ ଥିବା ମନ୍ତ୍ରୀ କହିଛନ୍ତି । ସେହିଭଳି ଚିହ୍ନଟ ଭିକାରୀଙ୍କ ଥଇଥାନ ପାଇଁ ନିଳାଦ୍ରୀ ନିଳୟ, ଏକାମ୍ର ନିଳୟ, ଭିକାରୀ ପୁନର୍ବାସ କେନ୍ଦ୍ର ଭଳି କାର୍ଯ୍ୟକ୍ରମ ଜରିଆରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।