କାନପୁର ଟେଷ୍ଟ : ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ୨୯୬ରେ ଅଲଆଉଟ୍
କାନପୁର : କାନପୁର ଟେଷ୍ଟ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଯାଇଛି । ଭାରତର ଶକ୍ତିଶାଳୀ ସ୍ପିନ ଆକ୍ରମଣ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତ ପକ୍ଷରୁ ଅକ୍ସର ପଟେଲ ୫ଟି ଓ୍ବିକେଟ ନେଇଥିବାବେଳେ ଅଶ୍ବିନ ୩ଟି ଓ୍ବିକେଟ ନେଇଥିଲେ । ଫଳରେ ଭାରତ ପ୍ରଥମ ଇନିଂସରେ ୪୯ରନରେ ଆଗୁଆ ରହିଛି ।
କାନୁପରର ଗ୍ରୀନ୍ ପାର୍କରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପ୍ରଭାବ ବିସ୍ତାର କରିଛି ଭାରତ । ଦ୍ବିତୀୟ ଦିନ ୧୨୯/୦ରୁ ତୃତୀୟ ଦିନ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରିଥିଲେ ଭାରତୀୟ ସ୍ପିନର । ଅକ୍ଷର ପଟେଲ ୫ ଓ୍ବିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ ।ପ୍ରଥମେ ବ୍ୟାଟିଂ କରି ୩୪୫ ରନରେ ଅଲଆଉଟ ହୋଇଥିଲା ଭାରତ । ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଚମତ୍କାର ବ୍ୟାଟିଂ କରି ବିନା ଓ୍ବିକେଟରେ ୧୨୯ ରନ କରିଥିଲା କିଓ୍ବି ଟିମ୍ । କିନ୍ତୁ ତୃତୀୟ ଦିନ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୧୨୯ରେ ୦ ଓ୍ବିକେଟରୁ ୨୯୬ରେ ଅଲଆଉଟ ହୋଇଯାଇଥିଲା ଦଳ । ଦଳର ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ୍ ଏବଂ ଓ୍ବିଲ୍ ୟଙ୍ଗ ଶୀଘ୍ର ଆଉଟ ହେବାପରେ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଛି । ଲାଥାମ୍ ବ୍ୟକ୍ତିଗତ ୯୫ ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ୍ ୮୯ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ କେନ୍ ଓ୍ବିଲିୟମସନ୍ ୧୮ରନ କରି ଆଉଟ ହୋଇଥିବା ବେଳେ ଅଭିଜ୍ଞ ରସ୍ ଟେଲର ୧୧ ରନ, ହେନରୀ ନିକୋଲସ୍ ୨ରନ, ରଚିନ୍ ରବିନ୍ଦ୍ର ୧୩ ରନ, ଟମ୍ ବ୍ଲୁଣ୍ଡେଲ ୧୩ରନ, କାଇଲ୍ ଜିମିସନ୍ ୨୩ରନ, ଟିମ ସାଉଦୀ ୫ରନ, ଓ୍ବିଲ୍ ସମରଭିଲ୍ଲେ ୬ରନ କରି ଆଉଟ ହୋଇଛନ୍ତି । ଏଜାଜ୍ ପଟେଲ ୫ରନ କରି ଅପରାଜି ଅଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ଧରାଶୟୀ କରିଛନ୍ତି । ସେ ବ୍ୟକ୍ତିଗତ ୩୪ ଓଭର ବୋଲିଂକରି ୬୨ରନ ଦେଇ ୫ ଓ୍ବିକେଟ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ୪୨.୩ ଓଭରରେ ୮୨ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ରବିନ୍ଦ୍ର ଜାଡେଜା ୩୩ ଓଭରରେ ୫୭ରନଦେଇ ୧ ଓ୍ବିକେଟ, ଉମେଶ ଯାଦବ ୧୮ ଓଭରରେ ୫୦ରନ ୧ ଓ୍ବିକେଟ ଏବଂ ଇଶାନ୍ତ ଶର୍ମା ୧୫ ଓଭରରେ ୩୫ରନ ଦେଇଛନ୍ତି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୪ରନ । ପ୍ରଥମରୁ ଶୁଭମାନ ଗିଲ୍ ମାତ୍ର ୧ରନକରି ଆଉଟ ହୋଇଛନ୍ତି । ମୟଙ୍କ ଅଗ୍ରଓ୍ବାଲ ୪ରନ ଏବଂ ଚେତେଶ୍ବର ପୁଜାରା ୯ରନ କରି ଅପରାଜିତ ଅଛନ୍ତି ।