୨୦୨୧ରେ ବିଶ୍ବର ସର୍ବାଧିକ ଟେଷ୍ଟ ଓ୍ବିକେଟ ଦଖଲକାରୀ ବୋଲର ଅଶ୍ବିନ
କାନପୁର : ୨୦୨୧ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ବେଶ୍ ସଫଳ ବର୍ଷ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ସେ ବିଶ୍ବର ସର୍ବାଧିକ ଟେଷ୍ଟ ଓ୍ବିକେଟ ଦଖଲକାରୀ ବୋଲରର ମାନ୍ୟତା ପାଇଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ସେ ୩୯ଟି ଓ୍ବିକେଟ ନେଇସାରିଲେଣି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ପାକିସ୍ତାନୀ ବୋଲର ଶାହିନ ଆଫ୍ରିଦିଙ୍କୁ ଟପି ଏହି ସଫଳତା ହାସଲ କରିଛନ୍ତି ।
କାନପୁରଠାରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ସେ ଓ୍ବିଲ ୟଙ୍ଗଙ୍କ ଓ୍ବିକେଟ ନେଇ ଏହି ସଫଳତା ହାସଲ କରିଛନ୍ତି । ୟଙ୍ଗ୍ ୮୯ ରନରେ ଆଉଟ ହୋଇଥିଲେ । କେବଳ ବୋଲିଂ ନୁହେଁ, ଚଳିତ ବର୍ଷ ବ୍ୟାଟିଂରେ ବି ସେ କମାଲ ଦେଖାଇଛନ୍ତି । ବର୍ଷ ଆରମ୍ଭରୁ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସିଡନି ଟେଷ୍ଟରେ ସେ ଲଢୁଆ ବ୍ୟାଟିଂ କରି ଭାରତକୁ ନିଶ୍ଚିତ ପରାଜୟରୁ ରକ୍ଷା କରି ମ୍ୟାଚ ଡ୍ର କରିଥିଲେ । ତେବେ ଆହତ ଜନିତ କାରଣରୁ ସେ କିଛି ଦିନ ପାଇଁ ଟିମରୁ ବାଦ ପଡ଼ିଥିଲେ । ପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ସେ ୩୨ଟି ଓ୍ବିକେଟ ନେଇଥିଲେ । ଏହି ସିରିଜର ୨ୟ ମ୍ୟାଚରେ ସେ ଶତକ ହାସଲ କରିଥିଲେ, ଯାହାକି ଭାରତର ବିଜୟରେ ସହାୟକ ହୋଇଥିଲା ।