୨୯ରୁ ଶୀତକାଳୀନ ଅଧିବେଶନ : ଆସିପାରେ ୨୬ ନୂଆ ବିଲ
ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ଚଳିତବର୍ଷ ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ଆସିପାରେ ୨୬ ନୂଆ ବିଲ । ଫୋକସରେ କ୍ରିପ୍ଟୋ ମୁଦ୍ରା ଉପରେ ଏକ ବିଲ ଆଗତ ହୋଇପାରେ ।
ବର୍ତ୍ତମାନ ଦେଶର କ୍ରିପ୍ଟୋ ମୁଦ୍ରା ସମ୍ପର୍କିତ କିଛି ନର୍ଦ୍ଦେଶାବଳୀ ନଥିବାବେଳେ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଏହାକୁ ନେଇ ଏକ ଅନ୍ତର୍ଜାତୀୟ ଫୋରମରେ ଚିନ୍ତା ପ୍ରକଟ କରିଥିଲେ । ତେବେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ କ୍ରିପ୍ଟୋ ମୁଦ୍ରା ଉପରେ ଏକ ବୈଠକ କରିଛନ୍ତି ଏହି ସମସ୍ୟାର ମୁକାବିଲା ପାଇଁ ଦୃଢ ନିୟାମକ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ସଙ୍କେତ ମିଳୁଛି । ସେହିକ୍ରମରେ ଚଳିତ ଶୀତ ଅଧିବେସନରେ ଏନେଇ କେନ୍ଦ୍ର ସରକାର ବିଲ ଆଗତ କରିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ପ୍ରାରମ୍ଭରେ କ୍ରିପ୍ଟୋ ମୁଦ୍ରା ଏବଂ ଏହା ସହ ସମ୍ପର୍କିତ ଆର୍ଥିକ କାରବାର ପରି ଆନୁଷଙ୍ଗିକ ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ଅନିୟନ୍ତ୍ରିତ କ୍ରିପ୍ଟୋ ମୁଦ୍ରା ଭାରତୀୟ ବଜାରରେ ଆର୍ଥିକ ଠକେଇ (ମନି ଲଣ୍ଡରିଂ) ଏବଂ ଆତଙ୍କବାଦ ଆର୍ଥିକ ପ୍ରତ୍ସାହନ ଭଳି ଗୁରୁତର ସଙ୍କଟ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଭାରତୀୟ ନିଜର୍ଭ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ସମେତ ଦେଶ ତଥା ବିଶ୍ବର ବିଶେଷଜ୍ଞଙ୍କ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହାକୁ ନିୟନ୍ତ୍ରଣ ନେଇ ବିଲ ଆଣିବା ପାଇଁ କେନ୍ଦ୍ର ସରକାର ନିଶ୍କର୍ସରେ ପହଞ୍ଚିଥିଲେ । ସେହିପରି ଏହି ଅଧିବେଶନରେ ୨୬ଟି ନୂତନ ବିଲ ମଧ୍ୟ ଆଗତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଥିବା ସୂଚନା ମିଳିଛି ।