ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ଶପଥ ନେଲେ ୧୫
ଜୟପୁର: କଂଗ୍ରେସ ଶାସିତ ରାଜସ୍ଥାନରେ ବହୁ ଚର୍ଚ୍ଚିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କାମ ଶେଷ ହୋଇଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ବି ଦେଖା ଦେଇଥିଲା । ଶେଷରେ ବିବାଦର ପ୍ରାୟ ଦେଢ଼ ବର୍ଷ ପରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଗେହଲଟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ନୂଆ କରି ଗଠନ ହୋଇଥିବା ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ଜଣ ସହଯୋଗୀ ସ୍ଥାନ ପାଇଛନ୍ତି । ସେହିପରି ୧୫ ଜଣ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପୂର୍ବରୁ ମନ୍ତ୍ରିମଣ୍ଡଳରେ ଥିବା ଗୋବିନ୍ଦ ସିଂହ ଦୋତାସ୍ର, ହରିଶ ଚୌଧୁରୀ ଓ ରଘୁ ଶର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ନିଜର ପଦ ବଜାୟୀ ରଖିଛନ୍ତି । ଏହାର ଅର୍ଥ ଏବେ ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୩୦ରେ ପହଂଚିଛି ।
ରବିବାର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ ଗେହଲଟଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିଲେ । ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି । ଗତବର୍ଷ ସଚିନ ପାଇଲଟଙ୍କ ସହ ମିଶି ବିଦ୍ରୋହ ଘୋଷଣା କରିଥିବା ବିଶଭେନ୍ଦର ସିଂହ ଓ ରମେଶ ମୀନା ଗେହଲଟଙ୍କ କ୍ୟାବିନେଟକୁ କମବ୍ୟାକ କରିଛନ୍ତି । ପାଇଲଟଙ୍କ ସହ ଏମାନଙ୍କୁ ବିଦ୍ରୋହ ପାଇଁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା । ମହେନ୍ଦ୍ରଜିତ ସିଂହ ମାଲବ୍ୟ, ରାମଲାଲ ଜାଠ, ମହେଶ ଯୋଶୀ, ମମତା ଭୂପେଶ, ଟିକାରାମ ଜୁଲି, ଭଜନଲାଲ ଜାତବ, ଗୋବିନ୍ଦ ରାମ ମେଘୱାଲ ଓ ଶୁକାନ୍ତଲାଲ ରାୱତ ନୂଆ ଚେହରା ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ଜାହିଦା ଖାନ ଓ ରାଜେନ୍ଦ୍ର ସିଂହ ଗୌଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ସଚିନ ପାଇଲଟ ବେଶ ଖୁସି ବ୍ୟକ୍ତ କରିଛନ୍ତି । ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ସବୁ ନେତା ଏକାଠି ହୋଇ ଲଢ଼ିବେ ଓ ବିଜେପିକୁ ହରାଇବେ ବୋଲି ସେ କହିଛନ୍ତି । ଗେହଲଟ ମଧ୍ୟ ସବୁ କଥାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି । ସେ ଦଳୀୟ କର୍ମୀମାନଙ୍କୁ କହିଛନ୍ତି, ଉତମ ଶାସନ ପାଇଁ ମନ୍ତ୍ରିମଣ୍ଡଳରେ ନଥିବା ଲୋକଙ୍କର ଦାୟିତ୍ୱ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ କରିଛନ୍ତି ।