ପ୍ରବଳ ବର୍ଷା ଆଶଙ୍କା! ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଏବେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଓଡ଼ିଶାରେ ପାଗ କୋହଲା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ଲକ୍ଷଣ ଦେଖାଗଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏସଆରସିଙ୍କ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଗାଣ ବର୍ଷା ସମ୍ପର୍କରେ ଲୋକମାନଙ୍କୁ ସତର୍କ କରିବା ସହ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ସ୍ଥଳେ ପଦକ୍ଷେପ ନେବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୫ରୁ ଊର୍ଧ୍ୱ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଧା, ଝାରସୁଗୁଡ଼ା ଓ କେନ୍ଦ୍ରପଡା ରହିଛି । ଏହି ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ବି ଜାରି କରାଯାଇଛି । ସେହିପରି ନଭେମ୍ବର ୧୩ରୁ ୧୪ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକୁ ବି ସତର୍କ କରାଯାଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଯାବତ ସମ୍ବଲପୁରରେ ସର୍ବାଧିକ ୩୧.୭ ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୬.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି । ନଭେମ୍ବର ୧୪ରୁ ୧୭ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବା ସହିତ କାଳବୈଶାଖୀ ସମ୍ଭାବନା ଥିବା କୁହାଯାଉଛି ।