ରେକର୍ଡ କରୁଛି ଓଡ଼ିଶା, ୪ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର : କରୋନା ଟିକାକରଣରେ ରେକର୍ଡ କରୁଛି ଓଡ଼ିଶା । ଏହି ପରିପ୍ରେକ୍ଷୀରେ ରାଜ୍ୟ ଆଉ ଏକ ମାଇଲଖୁଂଟ ପରି କରିଛି । ଓଡ଼ିଶାରେ ୪କୋଟି ଟପିଲା କରୋନା ଟିକାକକରଣ । ଏନେଇ ଟୁଇଟ କରି ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।
ଏନେଇ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ରାଜ୍ୟରେ ଏବେ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି । ଯେଉଁ ଗାଁରେ ୧୦୦ରୁ ଅଧିକ ଟିକା ନେଇନଥିବା ଲୋକ ଅଛନ୍ତି, ସେଠାରେ କେନ୍ଦ୍ର ଖୋଲାଯାଇଛି । ସେହିପରି ବର୍ତମାନ ସୁଦ୍ଧା ୩ କୋଟି ୯୮ ଲକ୍ଷ ୭୪ ହଜାର ୨୮୫ ଡୋଜ୍ ଟିକାକରଣ ହୋଇଛି । ପ୍ରଥମ ଡୋଜ୍ ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ହୋଇଛି । ହର୍ ଘର ଦସ୍ତକ ଆରମ୍ଭ ହେବା ପରେ ଟିକାକରଣ ବଢ଼ିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି । ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଆମ ଦେଶରେ ବଢ଼ିନି । ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ସେହିପରି ରାଜ୍ୟରେ ସ୍ଥିତି ଭଲ ଅଛି ବୋଲି ସେ କହିଛନ୍ତି । କରୋନା ସ୍ଥିତି ନୂଆ ହୋଇଥିବାରୁ ବୁଷ୍ଟର ଡୋଜ୍ ନେଇ ତର୍ଜମା ଚାଲିଛି । ଟେକ୍ନିକାଲ ବଡ଼ି କହିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ତା’ ପରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୦୪୪୯୬୨ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୧୦୩୩୬୫୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୨୮୮୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । କରୋନାରେ ୮୩୭୩ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ଛୋଟ ପିଲାମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଜନଗହଳୀ ନକରିବା ସହିତ ଦରକାର ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ପିଲାଙ୍କ ଠାରେ ଲକ୍ଷ୍ୟ ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ସେହିପରି ଆଗାମୀ ଦିନରେ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ମଧ୍ୟ ଟୀକାକରଣ ହେବାର କହିଛନ୍ତି ।