ଅଷ୍ଟ୍ରେଲିଆର ବିଜୟର ଏହା ଥିଲା ଟର୍ଣ୍ଣିଙ୍ଗ ପଏଣ୍ଟ, ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଏକ ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ମାତ୍ ଦେଇ ଫାଇନାଲ ପାଇଁ ଟିକେଟ ପକ୍କା କରିନେଇଛି । ଏହି ମ୍ୟାଚରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା । ପାକିସ୍ତାନୀ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ୬୭, ଫଖର ଜମାନ ୫୫ ଏବଂ ଅଧିନାୟକ ବାବର ଆଜାମ ୩୯ ରନ୍ କରିଥିଲେ । ଯେଉଁଥିପାଇଁ ପାକିସ୍ତାନର ଏତେ ସ୍କୋର ହୋଇପାରିଥିଲା । ଅଷ୍ଟ୍ରେଲୀୟ ବୋଲରଙ୍କ ସାମ୍ନାରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ି ନଥିଲା ।
ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ବହୁତ ଖରାପ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନୀ ବୋଲର ଶାହିନ୍ ଆଫ୍ରିଦି ପ୍ରଥମ ଓଭରରେ ଅଧିନାୟକ ଆରୋନ ଫିଞ୍ଚଙ୍କୁ ପାଭିଲିୟନକୁ ପଠାଇଥିଲେ । ଏହା ପରେ କଙ୍ଗାରୁ ବ୍ୟାଟ୍ସମ୍ୟାନମାନେ ଧୀରେ ଧୀରେ ରନ୍ ସ୍କୋର କରିବା ଆରମ୍ଭ କରିଥିଲେ, କିନ୍ତୁ ପାକିସ୍ତାନୀ ବୋଲରମାନେ ମ୍ୟାଚ୍ ଉପରେ ନିଜର ଦବଦବା ଜାରି ରଖଥିଥିଲେ । ଶାଦବ ଖାନ ନିଜ ୪ ଓଭରର କୋଟାରେ ୨୬ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ସେ ଅଷ୍ଟ୍ରେଲିଆର ବ୍ୟାଟିଂ ଅର୍ଡରର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଶାଦବ ଡେଭିଡ ୱାର୍ନର, ଷ୍ଟିଭ ସ୍ମିଥ, ମିଚେଲ ମାର୍ଶ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ୱିକେଟ୍ ନେଇଥିଲେ । ୧୭ତମ ଓଭର ପର୍ଯ୍ୟନ୍ତ ପାକିସ୍ତାନର ବୋଲରମାନେ ମାରାତ୍ମକ ବୋଲିଂ କରିଥିଲେ, ଲାଗୁଥିଲା ଯେ ପାକିସ୍ତାନ ଫାଇନାଲରେ ପହଞ୍ଚିଯିବ । ୧୯ତମ ଓଭରରେ ଅଷ୍ଟ୍ରେଲିଆ ପାଇଁ ମାଥ୍ୟୁ ୱେଡ୍ ଓ ମାର୍କସ ଷ୍ଟୋଇନିସ କ୍ରିଜରେ ଥିଲେ । ଅଷ୍ଟ୍ରେଲିଆକୁ ଶେଷ ୨ ଓଭରରେ ୨୨ ରନର ଆବଶ୍ୟକତା ଥିଲା । ଶାହିନ ୧୯ତମ ଓଭରର ତୃତୀୟ ବଲ୍ ମାଥ୍ୟୁ ୱେଡଙ୍କୁ କରିଥିଲେ, କିନ୍ତୁ ହାସନ ଅଲି ତାଙ୍କ କ୍ୟାଚ୍ ଛାଡିଦେଇଥିଲେ । ଏହି ମୁହୂର୍ତ୍ତ ଥିଲା ଯେତେବେଳେ ଅଷ୍ଟ୍ରେଲିଆ ମ୍ୟାଚରେ ଫେରି ଆସିଥିଲା । ଏହା ପରେ ମାଥ୍ୟୁ ୱେଡ ଶାହିନ୍ ଆଫ୍ରିଦିଙ୍କ ବଲରେ ଲଗାତାର ୩ଟି ଛକା ମାରି ମ୍ୟାଚ୍ର ଗତିପଥ ପରିବର୍ତ୍ତନ କରିଥିଲେ । ୱେଡଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଦିଆଯାଇଥିଲା ।
ପାକିସ୍ତାନ ଏହି ମ୍ୟାଚକୁ ୫ ୱିକେଟରେ ହାରି ଥିଲା । ସୁପର-୧୨ରେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଜିତିଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା । ୟୁଏଇରେ ଗତ ୧୬ଟି ମ୍ୟାଚରେ ପାକିସ୍ତାନର ପରାଜିତ ହୋଇ ନଥିଲା କିନ୍ତୁ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଏହି ବିଜୟ ଅଭିଯାନ ମଧ୍ୟ ବନ୍ଦ ହୋଇଯାଇଛି । ଏହି ପରାଜୟ ସହିତ ଫାଇନାଲକୁ ଯିବାର ପାକିସ୍ତାନର ସ୍ୱପ୍ନ ଭାଙ୍ଗି ଯାଇଛି । ମ୍ୟାଚ୍ ପରେ ପାକିସ୍ତାନୀ ଅଧିନାୟକ ବାବର ଆଜାମ ହାସନ ଅଲିଙ୍କ କ୍ୟାଚ୍ ଡ୍ରପକୁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ।