କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା : ଆଜି ଠାରୁ ଆବେଦନ
ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ମହାମାରୀ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବାକୁ ସରକାର ଏକ ସ୍ବତନ୍ତ୍ର ମୋବାଇଲ ଆପ୍ ‘କ୍ୟାପ୍ସ’ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଜିଲାପାଳ ଏହି ଆପ ମାଧ୍ୟମରେ ହିତାଧିକାରୀ (ମୃତକଙ୍କ ନିକଟ ସଂପର୍କୀୟ)ଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବେ । ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ।
ଏହି ସହାୟତା ପ୍ରଦାନ ସଂପର୍କରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ । ଲୋକମାନେ ଏହି ସହାୟତା ରାଶି ପାଇବା ପାଇଁ ମଙ୍ଗଳବାର ଠାରୁ ଜିଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଆବେଦନ ନିର୍ଦ୍ଦିଷ୍ଟ ଫର୍ମାଟରେ ଅନଲାଇନରେ କିମ୍ବା ଅଫଲାଇନରେ ଡାକ ମାଧ୍ୟମରେ କରିପାରିବେ । ସେମାନେ ଆବେଦନ ଫର୍ମ ସହ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରିବେ । ଗୋଟିଏ କୋଭିଡ୍ ମୃତ୍ୟୁ ପାଇଁ ଗୋଟିଏ ଆବେଦନ ପତ୍ର ଦାଖଲ କରାଯାଇପାରିବ । ଆବେଦନ ପତ୍ର ପାଇବା ପରେ ଜିଲ୍ଲାପାଳ ତାହାର ଏକ କପି ତହସିଲଦାରଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇବେ । ତହସିଲଦାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଚିହ୍ନଟ କରିବା ସହ ତାଙ୍କର ବ୍ୟାଙ୍କ ଖାତା ସଂପର୍କିତ ତଥ୍ୟ ହାସଲ କରି ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଉପଜିଲ୍ଲାପାଳ ନିଜର ମନ୍ତବ୍ୟ ସହ ଆବେଦନକୁ ଏଡିଏମଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଏହା ପରେ ଜିଲାପାଳ ଆବେଦନକୁ ମଂଜୁର କରିବେ ।