ଆଜି କୁମାର ପୂର୍ଣ୍ଣିମା, ସନ୍ଧ୍ୟାରେ ଚାନ୍ଦ ପୂଜା
ଭୁବନେଶ୍ୱର : ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଏହି ଅବସରରେ ଆଜି ଗାଁ ଠୁ ସହର ଉତ୍ସବ ମୁଖର । ସକାଳୁ ସକାଳୁ କୁମାରୀ ଝିଅ ମାନେ ଭୋଗ କୁଲା ଧରି ସୂର୍ଯ୍ୟପୂଜା କରିଛନ୍ତି । ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ଝିଅମାନେ କୁମାର ଉତ୍ସବ ପାଳନ କରନ୍ତି । ପୁରାଣ କିମ୍ବଦନ୍ତୀ ଅନୁସାରେ ଆଜି କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି ।
ତେବେ କୁମାର ପୂର୍ଣ୍ଣିମାରେ ଭୋରୁ କୁମାରୀମାନେ ଉଠି ବୃନ୍ଦାବତୀଙ୍କ ପୂଜା ପାଇଁ ଲାଗି ପ଼ଡିଛନ୍ତି । ଆଜିର ଦିନରେ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସି ପୁଜାଚର୍ଚ୍ଚନା କରାଯାଏ। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି । ସଂଧ୍ୟାରେ ଚାନ୍ଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । କୁମାର ପୂର୍ଣ୍ଣିମାରେ ଝିଅମାନେ ବିଭିନ୍ନ ପ୍ରକାର ଖେଳକୁଦରେ ମାତି ଯାଆନ୍ତି । ପୁଚି, ବୋହୁ ବେହାକୁ ଆଉ କବାଡି ଖେଳରେ କମ୍ପି ଉଠେ ଗାଁ ଦାଣ୍ଡ। ଚଳିତ ବର୍ଷ କରୋନା କଟକଣା ପାଇଁ ବିଭିନ୍ନ ଅଂଚଳରେ କୁମାର ଉତ୍ସବ ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରା ରକ୍ଷା କରିବାକୁ ଭୁଲି ନାହାନ୍ତି ।
ବିଶ୍ୱାସ ରହିଛି ଆଜି ରାତ୍ରିରେ ଚନ୍ଦ୍ରମାଙ୍କ ଠାରୁ ଅମୃତ ବର୍ଷା ହୋଇଥାଏ । ଏହି ଅବସରରେ ଆଜି ସକାଳେ କୁମାରୀ ଝିଅ ମାନେ ସୂର୍ଯ୍ୟପୂଜା ଓ ସଂନ୍ଧ୍ୟାରେ ଚନ୍ଦ୍ରମାଙ୍କ ଆଶୀର୍ବାଦ ପାଇବା ପାଇଁ ଚାନ୍ଦ ପୂଜା କରିଥାନ୍ତି । ଗାଁ ଗାଉଁଲିରେ କଥା ରହିଛି କୁମାରୀ ଝିଅମାନେ ଚାନ୍ଦ ଝଟଝଟ ରାଜ କୁମାରଙ୍କ ଭଳି ବର ପାଇବା ପାଇଁ ଆଜି ଦିନରେ କୁମାର ପୂର୍ଣ୍ଣିମା ବ୍ରତ ରଖିଥାନ୍ତି । ଆହୁରି ମଧ୍ୟ କୁହାଯାଏ ଆଜି ଦିନରେ ଶ୍ରାକୃଷ୍ଣ ମହାରାସ ରଚିଥିଲେ । ଆଜି ଦିନକୁ ଓଡିଶାରେ ଜହ୍ନି ଓଷା ଭାବେ ମଧ୍ୟ ପାଳନ କରାଯାଇଥାଏ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପର୍ବ ପାଳନ କରାଯାଏ । ଏହିଦିନ ଜଗତ ଜନନୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ ।