ଏଣିକି ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍
ଭୁବନେଶ୍ୱର : ଏଣିକି ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍ । ତିହାର ଜେଲ୍ ଢାଂଚାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକର ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡ଼ା ଜେଲରେ ପ୍ରଥମେ ଡ୍ରୋନ୍ କ୍ୟାମେରା ଉଡ଼ିବ । କଏଦୀମାନେ କଣ କରୁଛନ୍ତି, କିଏ ଦେଖା କରିବାକୁ ଆସୁଛି ଏସବୁ ଉପରେ ନଜର ରଖାଯିବ । ଏଥତ୍ପାଇଁ ୨୨ରୁ ୨୩ଟି ଡ୍ରୋନ ଅଣାଯିବାକୁ ଯୋଜନା ରହିଛି ବୋଲି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଚୌଦ୍ୱାର ଓ ଝାରପଡ଼ା ଜେଲରେ ଟେଲିଫୋନ ବୁଥ ବ୍ୟବସ୍ଥା କରାଯିବ । ଉଭୟ ଜେଲରେ ୪ଟି ଲେଖାଏଁ ବୁଥ୍ ଖୋଲାଯିବ । କଏଦୀମାନେ ନିଜ ଘରର ଦୁଇଟି ନମ୍ବର ଏହି ବୁଥରେ ଦେବେ । କେବଳ କଏଦୀ ଦେଇଥିବା ନମ୍ବରକୁ ହିଁ ଫୋନ୍ ଯିବ, ଅନ୍ୟ ନମ୍ବରକୁ ଫୋନ କଲେ କଲ୍ ଯିବ ନାହିଁ । କଏଦୀ ୫ ମିନିଟ ପର୍ଯ୍ୟନ୍ତ କଥା ହୋଇପାରିବେ । ତାପରେ ଅଟୋମେଟିକ୍ ଫୋନ୍ କଟିଯିବ । ଅପରାଧ ସାମ୍ରାଜ୍ୟ ବିସ୍ତା କରି ଜେଲ୍ରେ ଅଛନ୍ତି ବହୁ ଦୁର୍ଦ୍ଦାନ୍ତ ଅପରାଧୀ । ସେମାନେ ଜେଲ୍ରେ ରହିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ଅପରାଧ ନିୟନ୍ତ୍ରଣ ଚାଲିଛି । ଦାଦାବଟି ଆଦାୟଠାରୁ ଆରମ୍ଭ କରି ଧମକ ଚମକ ଦିଆଯାଉଛି । ଏହାର ପ୍ରମାଣ ବହୁବାର ଦେଖିବାକୁ ମିଳିଛି । କିଛିଦିନ ତଳେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କ ନିର୍ଦ୍ଦେଶରେ ଜଣେ ବ୍ୟବସାୟୀଙ୍କୁ ବଟି ମଗା ଯାଉଥିଲା । ଏହି ସମ୍ପର୍କରେ ପୁଲିସ ଜାଣିପାରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ । ଏପରି ଅନେକ ଘଟଣା ରାଜ୍ୟରେ ଘଟିଛୁ । ଯେଉଁଥିପାଇଁ ବିବାଦ ଭିତରେ ରହିଛନ୍ତି ଜେଲ୍ କର୍ତୃପକ୍ଷ । ଏଥିରୁ ଏବେ ନିସ୍ତାର ମିଳିବ । ଜେଲ୍ ଭିତରେ ଥିବା ଅନ୍ତେବାସୀଙ୍କ ଗତିବିଧି ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ୍ ।