ଜିଲାପରିଷଦ ଅଧ୍ୟକ୍ଷ ପଦ : ପଛୁଆବର୍ଗଙ୍କୁ ୪ ଜିଲା
ଭୁବନେଶ୍ୱର: ଜିଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ । ୩୦ ଜିଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲାରେ ଅଧ୍ୟକ୍ଷ ପଦ ସଂରକ୍ଷିତ । ଜିଲାଗୁଡ଼ିକ ମଧ୍ୟରେ ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଏବଂ ଗଜପତି ପଛୁଆବର୍ଗଙ୍କ ପାଇଁ ରହିଛି । ସେହିପରି ୧୨ ଜିଲା ପାଇଁ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଥିବା ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । କଳାହାଣ୍ଡି, କେନ୍ଦ୍ରାପଡ଼ା, ଗଞ୍ଜାମ, ଝାରସୁଗୁଡ଼ା, ଢ଼େଙ୍କାନାଳ, ଦେବଗଡ଼, ନୂଆପଡ଼ା, ପୁରୀ, ବରଗଡ଼, ବଳାଙ୍ଗିର, ବୌଦ୍ଧ ଏବଂ ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି । ଅନ୍ୟପକ୍ଷରେ କଟକ, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିବାର ଜଣାପଡ଼ିଛି । ସେହିଭଳି ଅନୁସୂଚିତ ଜନଜାତି ପାଇଁ ୧୦ ଜିଲା ସଂରକ୍ଷିତ ରହିଛି । କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି।
୧୯୯୧ ମସିହା ଓଡ଼ିଶା ଜିଲ୍ଲା ପରିଷଦ ଅଧିନୟମର ଧାରା ୮ ଅନ୍ତର୍ଗତ ଉପଧାରା(୩)ରେ ଅର୍ପିତ କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ କିତା ଚିଠା ଉକ୍ତ ଧାରାର ଉପଧାରା(୪) ଅନୁସାରେ ପ୍ରକାଶ କରାଯାଇଛି। ଏହା ପ୍ରକାଶିତ ହେବାର ଦିନଠାରୁ ୧୦ ଦିନ ମଧ୍ୟରେ ସର୍ବସାଧାରଣଙ୍କଠାରୁ ଅଭିଯୋଗ କିମ୍ୱା ପରାମର୍ଶ ଆହ୍ୱାନ କରାଯାଉଛି। ସର୍ବସାଧାରଣ ସେମାନଙ୍କ ଅଭିଯୋଗ ବା ପରାମର୍ଶ ଇ-ମେଲ୍(dir-pr.od@gov.in/prsec.or@nic.in) ମାଧ୍ୟମରେ ଦାଖଲ କରିପାରିବେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମିଳିଥିବା ଅଭିଯୋଗ ବା ପରାମର୍ଶ ଗୁଡ଼ିକୁ ରାଜ୍ୟ ସରକାର ବିଚାରକୁ ନେଇ ଉକ୍ତ ଚିଠା ସଂରକ୍ଷଣ ପ୍ରସ୍ତାବ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।