ରାଜ୍ୟରେ ୪ଦିନ ପାଇଁ ବଜ୍ରପାତ ସହ ବର୍ଷା ନେଇ ୧୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ ରହିଛି। ତଟୀୟ ଘୂର୍ଣ୍ଣିବଳୟ ଏବେ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହା ଉଚ୍ଚତା ସହିତ ଦକ୍ଷିଣ ପଶ୍ଚିମ ଆଡକୁ ଢ଼ଳି ରହିଛି। ଏହାରି ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ, ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆଗକୁ ମଧ୍ୟ ଓଡ଼ିଶାର କିଛି ଜିଲାରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଏନେଇ ପାଣିପାଗ ବିଭାଗ ଆସନ୍ତାକାଲି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୧୯ଟି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ୧୯ଟି ଜିଲା ମଧ୍ୟରେ ବାଲେଶ୍ୱବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ରହିଛି । ସେହିପରି ଅକ୍ଟୋବର ୨୦ ପରେ ବର୍ଷାର ପରିମାଣ କମିବ ବୋଲି ଆକଳନ କରାଯାଇଛି।