ଡିଆରଡିଓ ତଥ୍ୟ ଲିକ୍ ଘଟଣା ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ଗୁପ୍ତ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଯୋଗାଇ ଦେବା ଅଭିଯୋଗରେ ପୋଲିସ ୪ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଗିରଫ ୪ ଠିକା କର୍ମଚାରୀଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଚାନ୍ଦିପୁର ଥାନାରେ ମାମଲା (ନଂ. ୭୬/୨୦୨୧) ରୁଜୁ କରାଯାଏ ତଦନ୍ତ ଭାର ଓଡିଶା କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ ହୋଇଛି। ଏହି ଦଳର ନେତୃତ୍ୱ ନେଉଛନ୍ତି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋଇ। ତାଙ୍କ ସହିତ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ଇନ୍ସପେକ୍ଟର ଏବଂ ଜଣେ ସବ-ଇନ୍ସପେକ୍ଟର ଥିବା ବେଳେ ଅନ୍ୟଜଣେ ଅଫିସର ମଧ୍ୟ ସାମିଲ ଅଛନ୍ତି।
ସୂଚନା ଯେ, ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ କରିଥିବା ଅଭିଯୋଗରେ ୪ ଜଣ ଠିକା କର୍ମଚାରୀ ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨), ଯିଏକି ଆଇଟିଆର୍ରେ ଏସି ଅପରେଟର ଭାବେ କାମ କରୁଥିଲେ। ଅନ୍ୟମାନେ ହେଲେ, ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ସେକ୍ ମୁସାଫିର (୩୨), ଜେନେରେଟର ଅପରେଟର ଥିବା ସଦର ଥାନା ବୁଆଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରି (୫୨) ଓ ଆଇଟିଆର୍ ମେନ୍ ଗେଟ୍ରେ କର୍ମଚାରୀ ଥିବା ସଦର ଥାନା ପାଳସିଆ ଅଞ୍ଚଳର ତାପସ ରଂଜନ ନାୟକ (୪୧) ଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟକୁ ଆଇଏସଡି କଲ୍ ଆସୁଥିବା ଏବଂ ସେମାନେ ମଧ୍ୟ ଦେଶ ବାହାରକୁ କଲ୍ କରୁଥିବା କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା (ଆଇବି)ର ଟ୍ରାକରୁ ଜଣାପଡ଼ିଥିଲା । ପାକିସ୍ଥାନକୁ ଲାଗି ରାଜସ୍ଥାନ ସୀମାରୁ ଆସୁଥିବା ଏହି କଲକୁ ନେଇ ଗୋଇନ୍ଦା ବିଭାଗର ସନ୍ଦେହ ବଢ଼ିଥିଲ । ଅଭିଯୁକ୍ତମାନେ ଫେସବୁକ ଓ ହ୍ୱାଟ୍ସଆପ୍ରେ ଭଏସ ଓ ଭିଡିଓ କଲ୍ ମାଧ୍ୟମରେ ବିଦେଶୀ ମହିଳା ଏଜେଣ୍ଟମାନଙ୍କ ସହ ଯୋଗାଯୋଗରେ ରହୁଥିବା ଜଣାପଡିଛି । ଏହି କଲ୍ ମାଧ୍ୟମରେ ଅଭିଯୁକ୍ତମାନେ ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଆଇବି ସନ୍ଦେହ କରିଥିଲା । ଏ ସମ୍ପର୍କରେ ପୋଲିସକୁ ଅବଗତ କରାଯିବା ସହ ଆଇବି ପକ୍ଷରୁ ଦୁଇ ଜଣିଆ ଟିମ ଆସି ବାଲେଶ୍ୱରରେ ପହଞ୍ଚିଥିଲା । ପୂର୍ବାଞ୍ଚଳ ଜୋନ ପୋଲିସ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପୁଲିସର ୬ ଜଣ ଡିଏସପି ଓ ୬ ଥାନାର ପୁଲିସଙ୍କୁନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ସହ ସେମାନଙ୍କୁ ଗିରଫ କରାଯାଇଥିଲା । ସୋମବାର ବିଳମ୍ବିତ ରାତିରେ ୪ଜଣଙ୍କୁ ପୁଲିସ ଉଠାଇ ଆଣିଥିଲା । ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଓ ଆଖଣ୍ଡତା ଉପରେ ଗୁରୁତର କ୍ଷତି ପହଞ୍ଚାଇବା ଅଭିଯୋଗରେ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଥିବା ପୂର୍ବାଞ୍ଚଳ ଆଇଜି ସ୍ପଷ୍ଟ କରିଥିଲେ ।
ଅନ୍ୟପକ୍ଷରେ ଡିଆର୍ଡିଓରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ିଥିଲେ । ଗିରଫ ୪ ଠିକା କର୍ମଚାରୀ ଜଣେ ପାକିସ୍ତାନୀ ସୁନ୍ଦରୀ ଏଜେଣ୍ଟଙ୍କ ହନିଟ୍ରାପ୍ରେ ଫସି ଡିଆର୍ଡିଓର ଗୁପ୍ତ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଏନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛନ୍ତି ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ର। ଆଲୋଚନା ହେଉଛି ପାକିସ୍ତାନୀ ସୁନ୍ଦରୀ ଜଣକ ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଫେସବୁକ୍ରେ ବନ୍ଧୁତା ସ୍ଥାପନ କରିଥିଲା। ନିଜକୁ ଉତ୍ତରପ୍ରଦେଶର ଯୁବତୀ ଭାବେ ପରିଚୟ ଦେଇ ଆତ୍ମୀୟତା ବଢାଇଥିଲା। ପରେ ଚାନ୍ଦିପୁର ବୁଲି ଆସିବାକୁ ଇଚ୍ଛା କରିବା ସହ ଏକ ସ୍ଥାନୀୟ ସିମ୍ କାର୍ଡ ଯୋଗାଡ କରିବାକୁ କହିଥିଲା। ଏଥିପାଇଁ ସଂପୃକ୍ତ କର୍ମଚାରୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଇବା ସହ ବିଶ୍ୱାସ ଭାଜନ ହୋଇଥିଲା। ଆଉ ତା’ପରେ କର୍ମଚାରୀ ଜଣକ ନିଜ ନାଁରେ ସିମ୍କାର୍ଡ ଆଣି ସଂପୃକ୍ତ ସୁନ୍ଦରୀଙ୍କୁ ନମ୍ବର ଦେଇଥିଲେ। ସେ ସେହି ନମ୍ବରରେ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ଜଣକ ପରେ ଜଣେ ୪ଜଣ କର୍ମଚାରୀଙ୍କୁ ପ୍ରଲୋଭିତ କରିଥିଲା। ଆଉ ସମୟ ସୁବିଧା ଦେଖି ଗୁପ୍ତ ତଥ୍ୟ ହାସର କରିଥିଲା ପାକିସ୍ତାନୀ ସୁନ୍ଦରୀ।