୧୫ରେ ବାଲେଶ୍ୱର ବିଜେଡିର ମେଗା ରକ୍ତଦାନ ଶିବିର
ବାଲେଶ୍ୱର : ଦ୍ୱିତୀୟ ଲହର କରୋନାରେ ବାଲେଶ୍ୱର ଜିଲା ରକ୍ତଭଣ୍ଡାରରେ ଦେଖା ଦେଇଥିବା ରକ୍ତର ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା । ଏହି ସମସ୍ୟାର ଆଶୁ ସମାଧାନ ପାଇଁ ଆସନ୍ତା ୧୫ ତାରିଖ ବୁଧବାର ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ସୂଚନା ଦେଇଛନ୍ତି ।
ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଅଭିଯାନ ଓ ବିଜେଡି ଜିଲା କମିଟିର ମିଳିତ ସହଯୋଗରେ ଓଟିରୋଡ଼ସ୍ଥିତ ବିଜେଡି ଜିଲା କାର୍ଯ୍ୟାଳୟ ପରିସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ଏହି ଶିବିର ସକାଳ ୮ଟାରୁ ଆରମ୍ଭ ହୋଇ ୬ଟା ପର୍ଯ୍ୟନ୍ତ ଚାଲିବ । ହଜାରେ ୟୁନିଟ ରକ୍ତ ସଂଗ୍ରହର ଲକ୍ଷ୍ୟନେଇ ଆୟୋଜିତ ହେବାକୁ ଯାଉଥିବା ଶିବିରରେ ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳ ସମେତ ବିଜେଡିର କର୍ମକର୍ତ୍ତା, ସମର୍ଥକମାନେ ରକ୍ତଦାନ କରିବେ । ବ୍ଲକ ସ୍ତରୀୟ କମିଟିର ଯୁବ କର୍ମକର୍ତ୍ତା ଓ ସଦସ୍ୟମାନେ ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବେ ବୋଲି ଶ୍ରୀ ଜେନାଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମେଗା ରକ୍ତଦାନ ଶିବିରକୁ ସଫଳ କରିବାକୁ ସେ ସବୁ ମହଲରୁ ସହଯୋଗ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ପ୍ରଧାନ, ଆଲୋକ ସାହୁ, ଗୌରୀ କୁମାର ରାଉତ, ନରେନ୍ଦ୍ର ବିହାରୀ ଦାସ, ସିମନ ଦାସମହାପାତ୍ର, ବରଦା ପ୍ରସନ୍ନ ପଟ୍ଟନାୟକ, ଭୂବନାନନ୍ଦ ଦାସ, ଅଜୟ ସାମଲ, ଶତ୍ରୁଘ୍ନ ମଲିକ, ପ୍ରମୁଖ ବିଜେଡିର କର୍ମକର୍ତ୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।