ବାଲେଶ୍ୱର : ଦୁର୍ଦ୍ଦାନ୍ତ ଅଭିଯୁକ୍ତ ବବରୁ ଗିରଫ
ବାଲେଶ୍ୱର : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ କ୍ରମାଗତ ଭାବେ ଛିନ୍ତାଇ, ଡକାୟତି, ରାହାଜାନି, ଆକ୍ରମଣ ଓ ଜଣେ ନାବାଳିକାକୁ ଅପହରଣ ପରେ ବଳାତ୍କାର ଘଟଣାରେ ପୋଲିସ ଆଖିରେ ଧୁଳି ଦେଇ ଆତଙ୍କ ଖେଳାଉଥିବା ଅଭିଯୁକ୍ତ ବବରୁକୁ ଗିରଫ କଲା ନୀଳଗିରି ପୋଲିସ । ସୋମବାର ପୂର୍ବାହ୍ନରେ ନୀଳଗିରି ପୋଲିସ ଏସ୍ଡିପିଓ ରିତେଶ ମହାପାତ୍ରଙ୍କ ନିର୍ଦ୍ଦେଶରେ ଆଇଆଇସି ଦାୟିତ୍ୱରେ ଥିବା ବାସୁଦେବ ଜୟସିଂଙ୍କ ନେତୃତ୍ୱରେ ଏକ ଟିମ୍ ନୀଳଗିରି ଥାନା ଗୋପ ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲେ । ସେଠାରୁ ଅଭିଯୁକ୍ତ ବବରୁ ଓରଫ କରୁଣାକର ମହାନ୍ତି (୩୨)କୁ ଗିରଫ କରାଯାଇଥିଲା ।
ସୂଚନାଥାଉ କି, ଗତ ଜାନୁଆରୀ ୧୮ତାରିଖ ଦିନ ବାଲେଶ୍ୱର ଜିଲା ଖନ୍ତାପଡ଼ା ଅଞ୍ଚଳରୁ ଭାଇ ଭଉଣୀ ନୀଳଗିରି ଥାନା ଅଞ୍ଚଳର ତାଙ୍କର ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ । ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ତାଙ୍କୁ ମାଡ଼ ମାରି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନାବାଳିକା ଭଉଣୀକୁ ପଞ୍ଚଲିଙ୍ଗେଶ୍ୱର ପାନ୍ଥଶାଳା ପଛପଟେ ନାବାଳିକାକୁ ଅପହରଣ ଓ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ନୀଳଗିରି ଥାନା ପକ୍ଷରୁ ମାମଲା (ନଂ. ୨୮/୨୧) ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ମୁଖ୍ୟ ଅଭିଯୁକ୍ତ ବବରୁ ଦୀର୍ଘ ଦିନ ଧରି ଆତ୍ମ ଗୋପନ କରିଥିବାରୁ ପୋଲିସ ତାର ଟେର ପାଉ ନ ଥିଲା । ଯାହାକୁ ନେଇ ନୀଳଗିରି ପୋଲିସ ଚିନ୍ତାରେ ଥିଲା । ଅଭିଯୁକ୍ତକୁ ଧରିବା ପାଇଁ ନୀଳଗିରି ଏସ୍ଡିପିଓ ରିତେଶ ମହାପାତ୍ରଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଆଇଆଇସି ବାସୁଦେବ ଜୟସିଂଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଚାନକ ଗୋପ ଅଞ୍ଚଳରେ ଅଚାନକ ଚଢ଼ାଉ କରି ଅଭିଯୁକ୍ତ ବବରୁକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନାଥାଉକି ଅଭିଯୁକ୍ତ ବବରୁଙ୍କ ନାମରେ ନୀଳଗିରି ଥାନାରେ ୧୦.୦୩.୧୯ରେ ମାମଲା ନଂ.୨୮୯ ଓ ୬୫, ୨୯.୯.୨୦ରେ ମାମଲା ନଂ. ୩୩୫, ୨୧.୧୧.୨୦ରେ ମାମଲା ନଂ.୩୮୫ ଭଳି ବିଭିନ୍ନ ମାମଲାରେ ଯଥା ଡକାୟତି, ରାହାଜାନି, ଛିନତାଇ, ଅପହରଣ, ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ତାଙ୍କ ନାମରେ ଥିବା ଏସଡିପିଓ ରିତେଶ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ କନେଷ୍ଟବଳ ଅଭୟ ଦଳେଇ, ପ୍ରଦୀପ କୁମାର ନନ୍ଦୀ, ସହଦେବ ସିଂ, ଚରଣ ମାରାଣ୍ଡି, ଏସ୍ଏଚ୍ ହେମ୍ବ୍ରମ, ସରୋଜିନୀ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।