ଆବାସ ଦୁର୍ନୀତି : ଗିରଫ ହେଲେ ନିଲମ୍ବନ ନିଲମ୍ବିତ କିରାଣି
ବାଲେଶ୍ୱର : ଆବାସ ଯୋଜନା ଟଙ୍କା ହେରଫେର୍ ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନିଲମ୍ବିତ କିରାଣି ପ୍ରଭାକର ପ୍ରଧାନ ଗିରଫ। ଅର୍ଥ ହେରଫେର୍ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପ୍ରଭାକରଙ୍କ ସମେତ ୩ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ନିଲମ୍ବିତ କିରାଣି ପ୍ରଭାକର ପ୍ରଧାନ ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କା ନିଜ ସମ୍ପର୍କୀୟଙ୍କ ଖାତାକୁ ପଠାଇ ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍ ଆଜି ତାଙ୍କ ବାଲେଶ୍ୱର ରାଣୀପାଟଣା ସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢ଼ଉ କରିଥିଲା। ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ୪ଟି ଟିମ୍ ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଏହାସହ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଥିଲା। ପ୍ରଭାକର ପ୍ରଧାନଙ୍କ ସମେତ ତାଙ୍କ ପତ୍ନୀ, ମାଆ ଓ ଅନ୍ୟଜଣେ ସମ୍ପର୍କୀୟଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ପ୍ରଭାକର ଏମାନଙ୍କ ଆକାଉଣ୍ଟକୁ ୨୦ ଲକ୍ଷ ୨୫ ହଜା ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଥିଲା। ପ୍ରଭାକର ଭଦ୍ରକ ତିହିଡ଼ା ବ୍ଲକରେ କିରାଣି ଓ କ୍ୟାସିଅର ଥିବା ବେଳେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଦୁର୍ନୀତି ହୋଇଥିଲା। ପ୍ରଭାକର ଏବେ ବାସୁଦେବପୁର ବ୍ଲକର କିରାଣି ଥିବା ବେଳେ ଦୁଇ ଦିନ ପୂର୍ବରୁ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ।
ସୂଚନା ଯେ, ପ୍ରଭାକର ପ୍ରଧାନ ଗତ ଦୁଇ ବର୍ଷ ପୂର୍ବେ ତିହିଡ଼ି ବ୍ଲକର କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ଆବାସ ଯୋଜନାର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ନ ଦେଇ ହଡ଼ପ କରିଥିଲେ । ଏହି ଅଭିଯୋଗ ଭିଜିଲାନ୍ସ ପାଇଲା ପରେ ତିହିଡି ବ୍ଲକକୁ ଆସି କିଛି କାଗଜ ପତ୍ର ଯାଞ୍ଚ କରିଥିଲେ ମଧ୍ୟ ସେପରି କିଛି ଠୋସ ପ୍ରମାଣ ପାଇ ନ ଥିଲେ । ଭିଜିଲାନ୍ସ ରେଡ଼ ପରେ ଭଦ୍ରକ ଜିଲାପାଳ ତାଙ୍କୁ ତିହିଡି ବ୍ଲକରୁ ଜିଲା ମୁଖ୍ୟାଳୟକୁ ବଦଳି କରିଥିଲେ । ପରେ ଶ୍ରୀ ପ୍ରଧାନଙ୍କ ପଦୋନ୍ନତି କରି ଗତ ଜୁନ ମାସରେ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଇତି ମଧ୍ୟରେ ଆବାସ ଯୋଜନା ଟଙ୍କା ହଡ଼ପ ଅଭିଯୋଗର ଏକ ସ୍ୱତନ୍ତ୍ର ଅଡିଟ୍ ଲୋକାଲ ଫଣ୍ଡ ଅଡିଟରଙ୍କ ଦ୍ୱାରା କରାଯିବା ପରେ ସେ ୨୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିବା ଜଣା ପଡ଼ିଥିଲା । ଏପରିକି ୩୪ ଜଣ ହିତାଧିକାରୀଙ୍କ ଆକାଉଣ୍ଟରେ ସହାୟତା ରାଶି ନ ଦେଇ ନିଜ ସ୍ତ୍ରୀ ଆକାଉଣ୍ଟ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଦେଇଥିବା ଜଣାପଡ଼ିଥିଲା । ଏହି ଘଟଣା ତିହିଡି ବିଡ଼ିଓ ଜିଲାପାଳଙ୍କୁ ରିପୋର୍ଟ କରିବା ପରେ ଜିଲାପାଳ ଗତ ଅଗଷ୍ଟ ମାସ ୨୬ ତାରିଖରେ ତାଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ ।